ଶୀତ ଅଧିବେଶନ: କେନ୍ଦ୍ରୀୟ ଅବହେଳାକୁ ବଡ଼ ଆୟୁଧ କରିବ ଶାସକ ଦଳ

ଭୁବନେଶ୍ବର: ବୁଧବାରଠୁ ଆରମ୍ଭ ହେବ ଶୀତକାଳୀନ ବିଧାନସଭା ଅଧିବେଶନ । ଏହି ଅଧିବେଶନରେ କେନ୍ଦ୍ରୀୟ ଅବହେଳାକୁ ଅସ୍ତ୍ର କରିବ ବିଜେଡି । ଏହାପୂର୍ବରୁ ମଙ୍ଗଳବାର ବିଜେଡି ବିଧାୟକ ଦଳର ବୈଠକ ଆୟୋଜିତ ହୋଇଛି ।
ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଆଗତ ହେବ ଅତିରିକ୍ତ ବଜେଟ । ସେପଟେ ବିରୋଧୀମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି । ଶାସକ ଦଳ ବିଧାୟକ ମଧ୍ୟ ସମସ୍ତ ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ଜାବାବ ଦେବାକୁ ନିଜକୁ ପ୍ରସ୍ତୁତ କରିଛନ୍ତି ।ତେବେ କେନ୍ଦ୍ରୀୟ ଅବହେଲାକୁ ବିଧାନସଭାରେ ବଡ଼ ଆୟୁଧ କରିବ ଶାସକ ଦଳ । ବିଧାୟକ ଦଳ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ର ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିବ ବିଜେଡି । ସ୍ୱାମୀନାଥନ କମିଟିର ସୁପାରିଶ କାର୍ୟ୍ୟକାରୀ କରିବା, ଉପାନ୍ତ ଅଞ୍ଚଳରେ ଗୃହ ନ ମିଳିବା, ଦରଦାମ ବୃଦ୍ଧି, ରନ୍ଧନ ଗ୍ୟାସ ଦରବୃଦ୍ଧି, ରାଜ୍ୟର କୋଇଲା ରାୟାଲଟି ବୃଦ୍ଧି ନହେବା, ଆଦିବାସୀମାନଙ୍କୁ ଗୃହ ନ ମିଳିବା ଓ ସାର ଆଭାଵ ପ୍ରସଙ୍ଗ ଉଠାଇବ ବିଜେଡି ।
ସେପଟେ ଅଧିବେଶନର ପ୍ରଥମ ଦିନରେ ଉପସ୍ଥାପନ ହେବ ଅତିରିକ୍ତ ବଜେଟ । ୧୯ ହଜାର କୋଟିରୁ ଅଧିକ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ
ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଅତିରିକ୍ତ ବଜେଟର ଆକାର ବୃଦ୍ଧିକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ। ବଜେଟ ଆକାର ବଢୁଥିଲେ ବି ଯୋଜନା କାର୍ୟ୍ୟକାରୀ ହୋଇ ପାରୁନି ବୋଲି କରିଛନ୍ତି ଅଭିଯୋଗ । ଅତିରିକ୍ତ ବଜେଟ କେବଳ ନିର୍ବାଚନଭିମୁଖୀ ବୋଲି କହିଛନ୍ତି ବିରୋଧୀ । ନିର୍ବାଚନ ଆସିଲେ ସରକାର ଏକ ନୂଆ ରୂପ ଧାରଣ କରନ୍ତି । ଯାହା କିଛି କୁହନ୍ତି ତାହା ପାଳନ କରନ୍ତି ନାହିଁ। ସରକାର ଶସ୍ତା ରାଜନୀତି କରୁଛନ୍ତି । ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ଅତିରିକ୍ତ ବଜେଟକୁ ନେଇ ଏଭଳି କହିଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ ।ସେହିପରି ଅତିରିକ୍ତ ବଜେଟକୁ ନେଇ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି ସରକାର ବାରମ୍ବାର ନିର୍ବାଚନ ପୂର୍ବରୁ ଲୋକଙ୍କୁ ପ୍ରଲୋଭନ ଦେଖାଇ କିଛି ନୂଆ ଯୋଜନା କରନ୍ତି । ସ୍କିମ ଉପସ୍ଥାପନ କରୁଛନ୍ତି କିନ୍ତୁ ବାସ୍ତବରେ ଏହା କେତେ କାର୍ୟ୍ୟକାରୀ ହେଉଛି ତାହା ଜନସାଧାରଣ ଜାଣି ସାରିଲେଣି। ଏଥର ଆଉ ନିର୍ବାଚନ ପୂର୍ବରୁ ଏ ବଜେଟ କାମ ଦେବନି। ଦୁର୍ଗମ ଅଞ୍ଚଳରେ ପାନୀୟ ଜଳ ପହଞ୍ଚାଇବା ରେ ସରକାର ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି। ଖାଲି ଋଣ ହାର ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି ।ଅନ୍ୟପଟେ ଅତିରିକ୍ତ ବଜେଟକୁ ନେଇ ଶାସକ ଦଳର ବରିଷ୍ଠ ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା କହିଛନ୍ତି, ଅତିରିକ୍ତ ବଜେଟ ୨୨ ବର୍ଷ ତଳ ମୂଳ ବଜେଟ କୁ ଅତିକ୍ରାନ୍ତ କରିଛି। ବଜେଟ ଅଭିବୃଦ୍ଧି ବିକାଶ ସହିତ ଯୋଡାଯିବା ଉଚିତ । ଗ୍ରାମାଞ୍ଚଳ ବିକାଶ ଭିତ୍ତିଭୂମିକୁ ସରକାର ଗୁରୁତ୍ବ ଦେଇଆସିଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ ସହ ଜନମଙ୍ଗଲ ଯୋଜନା ଫୋକସ ସରକାରଙ୍କ ରହିଛି ବୋଲି କହିଛନ୍ତି ।
Powered by Froala Editor