ଜ୍ୟୋତିଙ୍କ ପରେ ଆଉ ଜଣେ ୟୁଟ୍ୟୁବର ଗିରଫ

ଜ୍ୟୋତି ମାଲହୋତ୍ରାଙ୍କ ପରେ ଆଉ ଜଣେ ୟୁଟ୍ୟୁବରଙ୍କୁ ଗିରଫ କରାଯାଇଛି। ସେ ପାକିସ୍ତାନ ପାଇଁ ଗୁପ୍ତଚର କରୁଥିବା ସନ୍ଦେହ କରାଯାଉଛି। ପୁଲିସ୍ ଅଧିକାରୀମାନେ କହିଛନ୍ତି ଯେ ବୁଧବାର ଦିନ ପଞ୍ଜାବ ପୁଲିସ ଆଉ ଜଣେ ୟୁଟ୍ୟୁବର ଜସବୀର ସିଂହଙ୍କୁ ଗିରଫ କରିଛି। ଯିଏକି "ଜାନ ମହଲ" ଚ୍ୟାନେଲ ଚଳାଉଛନ୍ତି ଏବଂ ତାଙ୍କର ୧.୧ ମିଲିୟନ୍ରୁ ଅଧିକ ସବସ୍କ୍ରାଇବର୍ ଅଛନ୍ତି।
କୁହାଯାଉଛି ଯେ ଜସବୀର ସିଂହଙ୍କର ଜ୍ୟୋତି ମାଲହୋତ୍ରାଙ୍କ ସହିତ ମଧ୍ୟ ସମ୍ପର୍କ ଅଛି। ପଞ୍ଜାବ ପୋଲିସର ଡିଜିପିଙ୍କ ଅନୁଯାୟୀ, ରୂପନଗର ଜିଲ୍ଲାର ମହଲାନ ଗ୍ରାମର ବାସିନ୍ଦା ଜସବୀର ସିଂହଙ୍କର ଅନେକ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି (ପିଆଇଓ)ଙ୍କ ସହିତ ସମ୍ପର୍କ ଥିଲା, ଯେଉଁମାନେ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ପାଇଁ କାମ କରୁଥିବା ସନ୍ଦେହ କରାଯାଉଛି।ଜସବୀର ପାକିସ୍ତାନୀ ଗୁପ୍ତଚର ଅଧିକାରୀ ଶାକିର ଓରଫ ଜୁଟ୍ ରନ୍ଧାୱାଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖିଥିଲେ। ଯିଏକି ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍ଆଇ) ପାଇଁ କାର୍ଯ୍ୟ କରୁଥିବା ସନ୍ଦେହ କରାଯାଉଛି।
ସିଂହ ଏହସାନ-ଉର-ରହିମ ଓରଫ ଡାନିଶଙ୍କ ସହିତ ମଧ୍ୟ ସମ୍ପର୍କ ବଜାୟ ରଖିଥିଲେ। ଯିଏ ଜଣେ ପାକିସ୍ତାନୀ ନାଗରିକ ଏବଂ ଦିଲ୍ଲୀରେ ପାକିସ୍ତାନ ହାଇକମିସନର ପୂର୍ବତନ ଅଧିକାରୀ ଥିଲେ। ଯାହାଙ୍କୁ ପୂର୍ବରୁ ଗୁପ୍ତଚର ଅଭିଯୋଗରେ ବହିଷ୍କାର କରାଯାଇଥିଲା।
ମିଡିଆ ରିପୋର୍ଟ ଅନୁଯାୟୀ, ସେ ତିନିଥର ପାକିସ୍ତାନ ଯାତ୍ରା ମଧ୍ୟ କରିଛନ୍ତି। ସେ ୨୦୨୦ ମସିହାରେ ପ୍ରଥମ ଥର ପାଇଁ ପାକିସ୍ତାନ ଯାଇଥିଲେ। ଏହା ପରେ ସେ ୨୦୨୧ ଏବଂ ୨୦୨୪ ମସିହାରେ ମଧ୍ୟ ପାକିସ୍ତାନ ଯାତ୍ରା କରିଥିଲେ। ଏହା ବ୍ୟତୀତ ତାଙ୍କ ଇଲେକ୍ଟ୍ରୋନିକ ଡିଭାଇସରୁ ପାକିସ୍ତାନର ଅନେକ ନମ୍ବର ମଧ୍ୟ ମିଳିଛି।
ମେ ମାସରେ ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରିବା ସମୟରେ ଜସବୀର ପିଆଇଓଙ୍କ ସହିତ ତାଙ୍କର ସମସ୍ତ ଯୋଗାଯୋଗ ବିଷୟବସ୍ତୁ ଏବଂ ପ୍ରମାଣକୁ ମଧ୍ୟ ହଟାଇ ଦେବାକୁ ଚେଷ୍ଟା କରିଥିଲେ, ଯାହା ଫଳରେ ସେ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିପାରିବେ। ଏହି ପ୍ରସଙ୍ଗରେ, ମୋହାଲିର ଏସଏସଓସିରେ ଏକ ମାମଲା ରୁଜୁ କରାଯାଇଛି।
Powered by Froala Editor