ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି କଲେ ତାରାପ୍ରସାଦ

ଭୁବନେଶ୍ୱର:କିଟରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଶୁକ୍ରବାର ବିଧାନସଭାରେ କଂଗ୍ରେସ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଛି । ଏହି ଅବସରରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମୁଲତବୀ ଆଲୋଚନାରେ ଭାଗ ନେଇ ଘଟଣାର ନ୍ୟାୟିକ ତଦନ୍ତ ଦାବି ସହ କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି କରିଛନ୍ତି । କାହିଁକି ଏପର୍ଯ୍ୟନ୍ତ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ତାରା ପ୍ରଶ୍ନ କରିଛନ୍ତି । ସିସିଟିଭି ଫୁଟେଜ ଯାଞ୍ଚ କରିବାକୁ ମଧ୍ୟ ତାରା ଦାବି କରିଛନ୍ତି । କେତେ ଜଣ ଆଇଏଏସ, ଆଇପିଏସଙ୍କ ପରିବାର ଲୋକେ କିଟରେ ଚାକିରି କରିଛନ୍ତି ତାହା ଜଣାପଡ଼ିବ । କେବଳ ନେପାଳୀ ପିଲାମାନଙ୍କ ପାଇଁ କାହିଁକି ସାଇନ ଡାଏ ହେଲା ବୋଲି ତାରା ପ୍ରଶ୍ନ କରିଛନ୍ତି । ଅଶାଳୀନ ବ୍ୟବହାର କରିଥିବା ମହିଳାମାନଙ୍କୁ ମଧ୍ୟ କାହିଁକି ଗିରଫ କରାଯାଇନାହିଁ ବୋଲି ତାରା ପ୍ରଶ୍ନ କରିଛନ୍ତି ।
ଏହି ଅବସରରେ ବିଜେପି ବିଧାୟକ ବାବୁ ସିଂ ଆଲୋଚନାରେ ଅଂଶଗ୍ରହଣ କରି କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଟାର୍ଗେଟ କରିଛନ୍ତି । ଆଉ କହିଛନ୍ତି ଯେ ୧୯୯୧ ମସିହାରେ ମହର୍ଷିରେ ପଢ଼ାଇବା ବେଳେ ଅଚ୍ୟୁତ ୮୦୦ ଟଙ୍କା ଦରମା ପାଉଥିଲେ । ୩୧ ବର୍ଷ ପରେ ସେ ଏବେ ୧୫ ହଜାର କୋଟିର ମାଲିକ । କେମିତି ସେ ଏତେ କୋଟିର ମାଲିକ ହେଲେ ବୋଲି ଶ୍ରୀ ସିଂ ପ୍ରଶ୍ନ କରିଛନ୍ତି । ଏହାଛଡ଼ା ବାବୁ ସିଂ କହିଛନ୍ତି ଯେ ଅଚ୍ୟୁତ ସାମନ୍ତ ସମାଜକୁ ଲୁଣ୍ଠନ କରି ରାଜ୍ୟ ଓ ଦେଶକୁ ଲଜ୍ଜିତ କରିଛନ୍ତି ।
ଏହି ଅବସରରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିବୃତ୍ତି ରଖି ଘଟଣାକୁ ନିନ୍ଦା କରିବା ସହ ବର୍ବୋରଚିତ ବୋଲି କହିଛନ୍ତି ।ଏହାଛଡ଼ା ସେ କହିଛନ୍ତି ଯେ କିଟ ଘଟଣାକୁକୁ ନେଇ ୩ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ସମେତ କେନ୍ଦ୍ର ସରକାର ଘଟଣାକୁ ଗୁରୁତର ସହ ନେଇଛନ୍ତି । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ଅଛନ୍ତି । ଯୋଗାଯୋଗରେ ରହି କେନ୍ଦ୍ର ସରକାର ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ନେଉଛନ୍ତି । ନେପାଳ କର୍ତ୍ତୃପକ୍ଷଙ୍କ ସହ ରାଜ୍ୟ ସରକାରଙ୍କ ପ୍ରତିନିଧି ବି ଆଲୋଚନା କରିଛନ୍ତି । ଏମିତିକି ଛାତ୍ରଛାତ୍ରୀଙ୍କ ସହ ବ୍ୟକ୍ତିଗତ ଆଲୋଚନା କରିଥିବା ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ରାଜ୍ୟ ସରକାର ୪ଟି ୨୪ଘଣ୍ଟିଆ ହେଲ୍ପ ଲାଇନ ଜାରି କରିଛନ୍ତି । ନେପାଳ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଫେରିଆସିବାକୁ ଅନୁରୋଧ କରାଯାଇଛି । ଛାତ୍ରଛାତ୍ରୀଙ୍କ ପାଇଁ ରିମେଡିଆଲ କ୍ଲାସ ହେବ । ମିଡ ସେମିଷ୍ଟାର ଘୁଞ୍ଚାଯିବ । ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଗସ୍ତ ଖର୍ଚ୍ଚ ବହନ କରିବେ ।
Powered by Froala Editor