ଗହୀରମଥାରେ ଅଲିଭ୍ ରିଡ୍ଲେ କଇଁଛଙ୍କ ଅଣ୍ଡାଦାନ
ରାଜନଗର ବନଖଣ୍ଡ ଅନ୍ତର୍ଗତ ଗହୀରମଥାରେ ଆରମ୍ଭ ହୋଇଛି ଅଲିଭ ରିଡ୍ଲେ କଇଁଛଙ୍କ ଅଣ୍ଡାଦାନ । ନାସୀ-୨, ପେଣ୍ଠ ବେଳାଭୂମି, ଜଉଦିଆ, ହବାଳିଖଟି ପ୍ରଭୃତି ସ୍ଥାନରେ ୨୫୯ରୁ ଅଧିକ ଅଲିଭ୍ରିଡ୍ଲେ ଅଣ୍ଡାଦାନ କରିଛନ୍ତି । ବନ୍ୟଜନ୍ତୁ ଓ କୁକୁର ଖାଇଯିବାର ଆଶଙ୍କା ଥିବାରୁ ବନ ବିଭାଗ ପକ୍ଷରୁ ଅଣ୍ଡାଗୁଡ଼ିକୁ ସୁରକ୍ଷିତ ରଖାଯାଇଛି । ବିଭାଗ ପକ୍ଷରୁ ଏହି ଅଣ୍ଡାଗୁଡ଼ିକୁ ସଂଗ୍ରହ କରାଯାଇ ହାଚେରୀ ମଧ୍ୟରେ କୃତ୍ରିମ ବସା ତିଆରି କରାଯାଇ ସେଥିରେ ରଖି ବାଲି ଘୋଡ଼ାଇ ଦିଆଯାଉଛି । ଖୁବ୍ ଶୀଘ୍ର ସମୂହ ଅଣ୍ଡାଦାନ ହୋଇଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବନ ବିଭାଗ ପକ୍ଷରୁ ଏମାନଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ସମୁଦ୍ର ମଧ୍ୟରେ ବାବୁବାଲି ଓ ମାଦଳିଠାରେ ଦୁଇଟି କ୍ୟାମ୍ପ୍ କରାଯାଇଛି । ସମୁଦ୍ର କୂଳରେ ଗହୀରମଥା ରେଂଜ୍ ପକ୍ଷରୁ ଲଞ୍ଚ୍ଖୋଳା ଓ ଏକକୁଳାଠାରେ ଦୁଇଟି କ୍ୟାମ୍ପ୍ କରାଯାଇଛି । ରାଜନଗର ରେଂଜ୍ ପକ୍ଷରୁ ସାତଭାୟା, ହବାଳିଖଟି ଓ ବରୁଣେଇଠାରେ ସୁରକ୍ଷା କ୍ୟାମ୍ପ୍ କରାଯାଇଛି । ମହାକାଳପଡ଼ା ରେଂଜ୍ ପକ୍ଷରୁ ତାଲଙ୍ଗଠାରେ ଗୋଟିଏ ସୁରକ୍ଷା କ୍ୟାମ୍ପ୍ କରାଯାଇଥିବା ବେଳେ କୁଜଙ୍ଗ ରେଂଜ୍ ପକ୍ଷରୁ ଷଣ୍ଢକୁଦ, ତଣ୍ଡା, ରାମତରା ଓ ହାୱାଖାନାଠାରେ ସୁରକ୍ଷା କ୍ୟାମ୍ପ୍ କରାଯାଇଛି । ସମୁଦ୍ର ମଧ୍ୟରେ ଦୁଇଟି ସୁରକ୍ଷା କ୍ୟାମ୍ପ୍ରେ ୧୦ ଜଣ ଲେଖାଏଁ ୨୦ କର୍ମଚାରୀ ନିୟୋଜିତ ଅଛନ୍ତି । ସେହିପରି ସମୁଦ୍ର କୂଳରେ କରାଯାଇଥିବା ସୁରକ୍ଷା କ୍ୟାମ୍ପ୍ରେ ୨ଜଣ ଲେଖାଏଁ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିବା ଗହୀରମଥା ରେଂଜ୍ ଦାୟିତ୍ୱରେ ଥିବା ସହକାରୀ ବନ ସଂରକ୍ଷକ ମାନସ କୁମାର ଦାସ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ନଭେମ୍ବର ମାସ ପ୍ରଥମ ସପ୍ତାହରେ ଅଲିଭ୍ରିଡ୍ଲେ କଇଁଛ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ନିଜର ବଂଶ ବିସ୍ତାର ପାଇଁ ଆସିଥାନ୍ତି । ସେମାନଙ୍କର ମିଳନ ପ୍ରକ୍ରିୟା ପରେ ଜାନୁଆରୀ ମାସ ଶେଷ ଓ ଫେବ୍ରୁଆରୀ ମାସ ଆରମ୍ଭରୁ ମାର୍ଚ୍ଚ ମାସ ମଧ୍ୟରେ ସେମାନେ ସମୂହ ଅଣ୍ଡାଦାନ କରିଥାନ୍ତି । ଅଣ୍ଡା ଦେବାର ଦେଢ଼ମାସ ପରେ ଅଣ୍ଡାରୁ ଛୁଆ ଫୁଟିବା ପରେ ଶାବକମାନେ ସୂର୍ଯ୍ୟାସ୍ତରୁ ସୂର୍ଯ୍ୟୋଦୟ ମଧ୍ୟରେ ସମୁଦ୍ରକୁ ଚାଲି ଯାଇଥାନ୍ତି ।
Powered by Froala Editor