ଶ୍ରୀମନ୍ଦିରରେ ସନ୍ଧ୍ୟା ୫ଟାରୁ ୧୦ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ

ପୁରୀ: ଆଜି ଫାଲଗୁନ କୃଷ୍ଣପକ୍ଷ ଷଷ୍ଠୀ ତିଥି । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ତେଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୫ଟାରୁ ରାତ୍ର ୧୦ଟା ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀବିଗ୍ରହଙ୍କ ବନକଲାଗି ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ନୀତି ସମ୍ପାଦନ ବେଳେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିଥାଏ । ବନକଲାଗି ନୀତିରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଥାଏ ।ଶ୍ରୀମନ୍ଦିରରେ ପରମ୍ପରା ଅନୁଯାୟୀ, ଆଜି (ବୁଧବାର) ସନ୍ଧ୍ୟା ୫ଟାରେ ମହାପ୍ରଭୁଙ୍କ ଗୁପ୍ତ ନୀତି ବା ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ବିପ୍ରହର ଧୂପ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯିବ । ଦତ୍ତ ମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଠାକୁରମାନଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ଏହି ନୀତି ସମାପନ ହେବା ପର୍ୟ୍ୟନ୍ତ ପ୍ରାୟ ୫ ଘଣ୍ଟା ସମୟ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହିବ । ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ବନକଲାଗି କୁହାଯାଏ । ଆଜି ସନ୍ଧ୍ୟା ୫ଟାରେ ଶ୍ରୀଜିଉଙ୍କ ଗୁପ୍ତ ନୀତି ଅନୁଷ୍ଠିତ ହୋଇ ରାତି ୧୦ ଟାରେ ଏହା ଶେଷ ହେବ । ଏଥିପାଇଁ ସର୍ବସାଧାରଣଙ୍କ ପାଇଁ ୫ ଘଣ୍ଟା ଜଗା ଦର୍ଶନ ବନ୍ଦ ରହିବ ।
Powered by Froala Editor