ଭ୍ୟାନ-ଡମ୍ପର ଟ୍ରକ ଧକ୍କା, ୫ ମୃତ ୧୨ ଆହତ

ଭିଣ୍ଡ: ମଧ୍ୟପ୍ରଦେଶର ଭିଣ୍ଡ ଜିଲାର ଏକ ଏକ ଭ୍ୟାନକୁ ଡମ୍ପର ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ତିନିଜଣ ମହିଳା ଥିବା ଜଣାପଡ଼ିଛି। ଏହି ଦୁଘର୍ଟଣାରେ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି।
ମଧ୍ୟପ୍ରଦେଶର ଭିଣ୍ଡ ଜିଲାର ଜବାହରପୁରା ଗ୍ରାମ ନିକଟରେ ସକାଳ ପ୍ରାୟ ୫ଟା ସମୟରେ ଏକ ଗୋଷ୍ଠୀ ବିବାହ କାର୍ୟ୍ୟରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। କେତେକ ଭ୍ୟାନରେ ବସିଥିବା ବେଳେ ଅନ୍ୟମାନେ ରାସ୍ତାରେ ଠିଆ ହୋଇଥିଲେ। ହଠାତ୍ ଏକ ଦ୍ରୁତ ଗତିରେ ଆସୁଥିବା ଡମ୍ପର ଟ୍ରକ୍ ସେଠାରେ ଠିଆ ହୋଇଥିବା ଲୋକଙ୍କୁ ଏବଂ ଭ୍ୟାନକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଯାଉଥିବାବେଳେ ମୃତ୍ୟୁ ହୋଇଥିଲା ବୋଲି ଭିଣ୍ଡ ଜିଲା ପୁଲିସ ଅଧୀକ୍ଷକ ଅସିତ ଯାଦବ କହିଛନ୍ତି। ଆହତମାନଙ୍କୁ ଜିଲା ଡାକ୍ତରଖାନା ନିଆଯାଇଥିବା ସେ କହିଛନ୍ତି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ କ୍ରୋଧିତ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲେ।
Powered by Froala Editor