କୌଣସି ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ହେବେନି : ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ବର : ଚଳିତବର୍ଷ ରାଜ୍ୟରେ ମାଟ୍ରିକ ପାସ୍ ହାର ସର୍ବାଧିକ ୯୭.୮୯% ରହିଛି । ହେଲେ ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟରେ ପର୍ୟ୍ୟାପ୍ତ ସ୍ଥାନ ନାହିଁ। ଫଳରେ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବା ଆଶଙ୍କା କରାଯାଉଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କହିଛନ୍ତି କୌଣସି ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ହେବେନି । ସ୍ଥିତିକୁ ଦୃଷ୍ଟିରେ ରଖି ଯେଉଁଠି ଆବଶ୍ୟକ ପଡିବ ସେଠାରେ ସିଟ୍ ବୃଦ୍ଧି କରାଯିବ । ବିଭିନ୍ନ ଶୀକ୍ଷାନୁଷ୍ଠାନରେ ଏଥର ୧୦ରୁ ୩୦ ପ୍ରତିଶତ ସିଟ୍ ବୃଦ୍ଧି କରିବା ନେଇ ଚିନ୍ତା କରାଯାଉଛି। ତେଣୁ ଛାତ୍ରଛାତ୍ରୀ ଓ ଅଭିଭାବକ ଆଶ୍ୱସ୍ତ ରୁହନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ। ଏନେଇ ସରକାରୀ ସ୍ତରରେ ବିଚାରବିମର୍ଶ ଚାଲିଛି । ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । ସେପଟେ ଆସନ୍ତା ସପ୍ତାହରୁ ନାମଲେଖା ଆରମ୍ଭ କରିବାକୁ ଯୋଜନା କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ପ୍ରକାଶ ଯେ, ଚଳିତ ବର୍ଷ ମାଟ୍ରିକରେ ୯୭.୮୯% ଛାତ୍ରଛାତ୍ରୀ ପାଶ କରିଛନ୍ତି । ପୂର୍ବ ବର୍ଷ ଅପେକ୍ଷା ବହୁ ଅଧିକ ପ୍ରତିଶତ ପିଲା ପାଶ କରିଛନ୍ତି । ଗତବର୍ଷ ଅପେକ୍ଷା ପ୍ରାୟ ୨୦% ଅଧିକ ପିଲା ପାଶ କରିଛନ୍ତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ନହୋଇଥିଲେବି ୫ ଲକ୍ଷ ୭୪ ହଜାର ୧୨୫ ଜଣ ଦଶମରେ ପାଠ ପଢ଼ୁଥିଲେ । ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ପାଶ କରିଛନ୍ତି ।
Powered by Froala Editor