ଇସ୍ତଫା ଦେଲେ ହରିୟାଣା ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ହରିୟାଣାରେ ଗଠନ ହେବାକୁ ଯାଉଛି ନୂଆ ସରକାର। କାରଣ ଏଠାରେ ବିଜେପି ଏବଂ ଜେଜେପିର ମେଣ୍ଟ ସରକାର ଭାଙ୍ଗିଯାଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମନୋହର ଲାଲ ଖଟ୍ଟର। ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଇଥିବା ସୂଚନା ମିଳିଛି। ସେପଟେ ବିଜେପି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଯେଉଁଥିରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ନାମ ଅନୁମୋଦନ ହୋଇପାରେ। ଏହି ବୈଠକରେ ଯୋଗ ଦେବାକୁ ପର୍ଯ୍ୟବେକ୍ଷକ ଅର୍ଜୁନ ମୁଣ୍ଡା ଏବଂ ତରୁଣ ଚୁଗ୍ ଚଣ୍ଡିଗଡରେ ପଂହଚି ସାରିଛନ୍ତି। ଅପରାହ୍ନ ୧ଟାରେ ନୂଆ ସରକାର ଶପଥ ଗ୍ରହଣ କରିବା ନେଇ ସୂଚନା ମିଳିଛି।
ସୂଚନା ଅନୁଯାୟୀ ଲୋକସଭା ନିର୍ବାଚନରେ ଆସନ ବାଣ୍ଟିବା ନେଇ ଦୁଇ ଦଳ ମଧ୍ୟରେ ବିବାଦ ଉପୁଜିବାରୁ ମେଣ୍ଟ ସରକାର ଭାଙ୍ଗିଯାଇଛି। ବିଜେପି ପ୍ରତି ଆଞ୍ଚଳିକ ଦଳ ତଥା ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଥିବାରୁ ପରବର୍ତ୍ତୀ ସରକାର ବିଜେପି ଗଠନ କରିବ ବୋଲି ଜଣାପଡିଛି। ମନୋହର ଲାଲ ଖଟ୍ଟରଙ୍କ ସ୍ଥାନରେ ସଞ୍ଜୟ ଭାଟିଆ କିମ୍ବା ନାଏବ ସିଂହ ସୈନିଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ।
Powered by Froala Editor