କଳହ ପରେ ଆଖିବୁଜା ଫାୟାରିଂ, ୪ ଯବାନ ମୃତ
ଜମ୍ମୁ ଓ କାଶ୍ମୀରର କାଠୁଆ ଜିଲ୍ଲାରୁ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବସୋହଲି ଅଞ୍ଚଳର ମାଶକା ଠାରେ ଥିବା ‘ସେୱା ପାୱାର ପ୍ରୋଜେକ୍ଟ’ର ସୁରକ୍ଷା ଦାୟିତ୍ୱରେ ଥିବା ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ କ୍ୟାମ୍ପରେ ଜଣେ ଯବାନ ନିଜ ସହକର୍ମୀଙ୍କ ଉପରେ ଅନ୍ଧାଧୁନିକ ଗୁଳିଚାଳନା କରିଥିଲେ। ଏହି ବର୍ବର ଆକ୍ରମଣରେ ଚାରିଜଣ CISF ଯବାନଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ତଦନ୍ତ ସହିତ CISF ପକ୍ଷରୁ ମଧ୍ୟ ଏହି ଆପୋଷ ଗୁଳିକାଣ୍ଡର ପ୍ରକୃତ କାରଣ ଖୋଜିବା ପାଇଁ ଏକ ଆଭ୍ୟନ୍ତରୀଣ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ୨୦୦୯ ବ୍ୟାଚର CISF ଯବାନ ଅଭିଦେଶ ସିଂହ ନିଜ ସର୍ଭିସ୍ AK-47 ରାଇଫଲ୍ ବ୍ୟବହାର କରି ନିଜ ସହକର୍ମୀମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିକାଣ୍ଡରେ ଗୁରୁତର ଆହତ ହୋଇଥିବା ଚାରିଜଣ ଯବାନଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ସେମାନଙ୍କୁ ବଞ୍ଚାଯାଇପାରି ନଥିଲା। ମୃତକମାନଙ୍କ ମଧ୍ୟରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅଙ୍କିତ କୁମାର ପାଣ୍ଡେ, ସବ୍-ଇନ୍ସପେକ୍ଟର ଲକ୍ଷ୍ମଣ ସିଂହ, କନଷ୍ଟେବଲ୍ ରଫିକ୍ ଅହମ୍ମଦ ଏବଂ କନଷ୍ଟେବଲ୍ ସନ୍ଦୀପ କୁମାର ଅନ୍ତର୍ଭୁକ୍ତ। ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଯବାନଙ୍କ ପାଖରେ ପ୍ରାୟ ୧୫୦ ରାଉଣ୍ଡ ଗୁଳି ଥିଲା।
ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହା କୌଣସି ବାହ୍ୟ ଆତଙ୍କବାଦୀ ଆକ୍ରମଣ ନୁହେଁ, ବରଂ ଏକ ଆଭ୍ୟନ୍ତରୀଣ ବିବାଦର ଦୁଃଖଦ ପରିଣାମ ଥିଲା।
Powered by Froala Editor