ମୁକାମ୍ରେ କ୍ଷମା ପ୍ରାର୍ଥନା କରନ୍ତୁ, ଦୀର୍ଘଦିନର ବିବାଦ ତୁଟିଯିବ: ବିଷ୍ଣୋଇ ସମାଜ
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ ଉପରେ ଗତ ୩ ଦିନ ତଳେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଗୁଳି ଚାଳନା ଘଟଣା ସାରା ଭାରତରେ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି । ଏହି ପରିପ୍ରେକ୍ଷୀରେ ଅଭିନେତା ସଲମାନ ଖାନ ନିଜ ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଦେଇଛନ୍ତି । ଏପଟେ ତାଙ୍କ ସୁରକ୍ଷାକୁ ମଧ୍ୟ ବଢାଇ ଦିଆଯାଇଛି । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ପ୍ରଥମ ଟାର୍ଗେସ ସଲମାନ ଖାନ୍ ଥିବା ନେଇ ଚର୍ଚ୍ଚା ବଢିବା ସହ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ବିଷ୍ଣୋଇ ସମାଜ । ତେବେ ୨୮ ବର୍ଷ ତଳେ ସଲମାନଙ୍କ ହାତରେ ଶିକାର ହୋଇଥିବା ଏକ କଳା ହରିଣ ଘଟଣାକୁ ଏଥିସହ ଯୋଡିଛି ବିଷ୍ଣୋଇ ସମାଜ । ବୁଧବାର ବିଷ୍ଣୋଇ ସମାଜର ସଭାପତି ଦେଭେନ୍ଦ୍ର ବୁଧିଆ ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି, ‘ସଲମାନ ୨୮ ବର୍ଷ ତଳେ କଳା ହରିଣ ଶିକାର କରି ଯେଉଁ ଅପରାଧ କରିଥିଲେ, ସେଥିପାଇଁ ରାଜସ୍ଥାନ ବିକାନେର ଜିଲାରେ ଥିବା ମୁକାମ୍ରେ କ୍ଷମା ପ୍ରାର୍ଥନା କରନ୍ତୁ । ଦୀର୍ଘଦିନର ବିବାଦ ତୁଟିଯିବ ।’
ବିଷ୍ଣୋଇ ସମାଜ ସଭାପତି ଶ୍ରୀ ବୁଧିଆ ଗଣମାଧ୍ୟମକୁ କହିଛନ୍ତି, ସଲମାନ ଯଦି କ୍ଷମା ପ୍ରାର୍ଥନା କରନ୍ତି, ତେବେ ତାଙ୍କୁ କ୍ଷମା କରିଦେବାକୁ ବିଷ୍ଣୋଇ ସମାଜ ପ୍ରସ୍ତୁତ । ଏନେଇ ବିଷ୍ଣୋଇ ସମାଜ ପକ୍ଷରୁ ମଙ୍ଗଳବାର ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସଲମାନଙ୍କୁ ଏଥିପାଇଁ ପ୍ରଥମେ ନିଜ ଆଡୁ ପ୍ରସ୍ତାବ ଦେବାକୁ ହେବ । ବିଷ୍ଣୋଇ ସମାଜ ବନ୍ୟପ୍ରାଣୀ ଓ ବଣ ଜଙ୍ଗଲ ସୁରକ୍ଷାକୁ ନିଜ ଧର୍ମ ଭାବୁଥିବାରୁ ଏଥିରେ କେହି ବାଧା ଦେଲେ ତାକୁ ଅପରାଧ ବୋଲି ବିବେଚନା କରାଯିବ । ଟାଇଗର ଶ୍ରଫଙ୍କ ଉପରେ ଗୁଳିକାଣ୍ଡ ସମ୍ପର୍କରେ ଶ୍ରୀ ବୁଧିଆ କହିଛନ୍ତି, ‘ହିଂସା ସବୁବେଳେ ନିନ୍ଦନୀୟ । ତେବେ ଏ କ୍ଷେତ୍ରରେ ଉଭୟ ପଟର ଭୁଲ୍ ରହିଛି । ଅଭିନେତା ସଲମାନ ଖାନ ଯଦି ନିଜ ଅହଂକାର ଛାଡିଦିଅନ୍ତେ, ତେବେ ବିବାଦ କେବେଠୁ ସମାଧାନ ହୋଇସାରନ୍ତାଣି ।
Powered by Froala Editor