ମୌସୁମୀ ଅଧିବେଶନର ଅନ୍ତିମ ଦିନ ଆଜି

ଆଜି ବିଧାନସଭାର ମୌସୁମୀ ଅଧିବେଶନର ଅନ୍ତିମ ଦିନ । ସଂରକ୍ଷଣକୁ ୫୦ ପ୍ରତିଶତରୁ ଅଧିକ କରିବା ପାଇଁ ସଂକଳ୍ପ ଶେଷ ଦିନରେ ଆଗତ ହେବ ବୋଲି ସୂଚନା ମିଳିଛି । ଫଳରେ ପଛୁଆ ବର୍ଗ ଏହାର ଲାଭ ପାଇପାରିବେ ବୋଲି କୁହାଯାଇଛି । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ଅନୁସାରେ ଏବେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ । ସେହିପରି ଜାତି ଭିତ୍ତିକ ଜନଗଣନା ପାଇଁ ମଧ୍ୟ ବିଧାନସଭାରେ ସଂକଳ୍ପ ଆଗତ ହେବ । ମନ୍ତ୍ରୀ ଜଗନ୍ନାଥ ସାରକା ବିଧାନସଭାରେ ଏହି ସଂକଳ୍ପ ଆଗତ କରିବେ । ତେବେ ଗୃହର ଗୁରୁତ୍ୱପୂର୍ଣ୍ଣ ସମୟ ନାରାବାଜି ଓ ମୁଲତବୀ ଭିତରେ ସରିବାକୁ ଯାଉଛି ।
ଗତକାଲି ଗୃହରେ କଂଗ୍ରେସ ଦଳ ପକ୍ଷରୁ ଖଣି ଦୁର୍ନୀତି ଉପରେ ଆଲୋଚନା ପାଇଁ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାହାକୁ ଗ୍ରହଣ ନକରିବାରୁ, ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଭ୍ୟମାନେ ଠିଆ ହୋଇ ଏହାର ପ୍ରତିବାଦ କରିଥିଲେ । ବିଜେପି ମଧ୍ୟ କଂଗ୍ରେସ ସହ ସ୍ୱର ମିଳାଇଥିଲା । ବାଚସ୍ପତି ସେମାନଙ୍କ କଥା ନ ଶୁଣି ପ୍ରଶ୍ନକାଳ ଆରମ୍ଭ କରିବାକୁ ଘୋଷଣା କଲେ । ଏହି ସମୟରେ କଂଗ୍ରେସ ଓ ବିଜେପି ସଭ୍ୟମାନେ ବାଚସ୍ପତିଙ୍କ ପୋଡିଅମ ପାଖକୁ ମାଡି ଆସି ହୋହଲ୍ଲା କରିଥିଲେ । ଖଣି ଦୁର୍ନୀତି ଆଲୋଚନାକୁ ରାଜ୍ୟ ସରକାର କାହିଁକି ଡରୁଛନ୍ତି ବୋଲି ପ୍ରଶ୍ନ କଲେ । ଗୋଟିଏ ମିନିଟ୍ରେ ବାଚସ୍ପତି ଗୃହକୁ ଏକ ଘଣ୍ଟା ମୁଲତବୀ ରଖଥିôଲେ । ମୁଲତବୀ ପ୍ରସ୍ତାବ ଗ୍ରହଣ ନ କଲା ଯାଏ ବାଚସ୍ପତିଙ୍କୁ ଗୃହରେ ଅଧ୍ୟକ୍ଷତା କରିବାକୁ ସୁଯୋଗ ଦେବେନି ବୋଲି କହିଥିଲେ । ବିରୋଧୀ ସଭ୍ୟମାନେ ପ୍ରକୋଷ୍ଠ ବାହାରେ ଘେରାଉ କରି ବସିଥିବାରୁ ବାଚସ୍ପତି ୧୧ଟା ୩୦ରେ ଗୃହକୁ ଯାଇପାରିଲେ ନାହିଁ । ଉପବାଚସ୍ପତି ରଜନୀକାନ୍ତ ସିଂହ ଗୃହକୁ ପ୍ରବେଶ କରି ସଙ୍ଗେ ସଙ୍ଗେ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।
Powered by Froala Editor