ନ୍ୟାୟ ନ ମିଳିଲେ ଓଡ଼ିଶା ଛାଡ଼ିବି: ଦୂତି

ଭୁବନେଶ୍ୱର : ସାମାଜିକ ଗଣମାଧ୍ୟମରେ ଚରିତ୍ର ସଂହାର, ବ୍ୟକ୍ତିଗତ ଜୀବନକୁ ନେଇ ବାରମ୍ବାର କଟାକ୍ଷ, ଲଗାତାର ଭିତ୍ତିହୀନ ଓ କପୋଳକଳ୍ପିତ ଖବର ପରିବେଷଣ ସହ ନକାରାତ୍ମକ ଓ ଅପମାନଜନକ ମନ୍ତବ୍ୟ ପୋଷ୍ଟ କରି ବଦନାମ କରିବାର ଷଡ଼ଯନ୍ତ୍ର ଭଳି ସଂଗିନ ଅଭିଯୋଗ ଆଣି ୱେବଚ୍ୟାନେଲର ସଂପାଦକ ଏବଂ ଆଉ ଜଣେ ସୂଚନା ଅଧିକାର କର୍ମୀଙ୍କ ବିରୋଧରେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦୌଡ଼ରାଣୀ ଦୂତି ଚାନ୍ଦ । ସିନିୟର ସିଭିଲ ଜଜ୍, ଭୁବନେଶ୍ୱରଙ୍କ କୋର୍ଟରେ ମାନହାନୀ ମୋକଦମା ଦାୟର କରିବା ସହ ୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି । ସେହିଭଳି ଉଭୟଙ୍କ ବିରୋଧରେ ମହିଳା ଥାନାରେ ମଧ୍ୟ ଏତଲା ଦାୟର କରିଛନ୍ତି । ଗୁରୁବାର ଦିନ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦୂତି କହିଛନ୍ତି, ମୋ ବିରୋଧରେ ୱେବଚ୍ୟାନେଲର ସଂପାଦକ ଶୁଧାଂଶୁ ରାଉତ ତାଙ୍କ ଚ୍ୟାନେଲରେ ‘ଦୌଡ଼ରାଣୀ ଏବେ..’, ‘ବାପା ମା’ କି ପରିବାର ନୁହେଁ...’ ଏବଂ ଅନ୍ୟାନ୍ୟ ଅପମାନଜନକ ଶୀର୍ଷକରେ ଖବର ପ୍ରକାଶ କରୁଛନ୍ତି । ଟୋକିଓ ଅଲିମ୍ପିକ୍ସ ବେଳୁ ସଂପୃକ୍ତ ସଂପାଦକ ମୋତେ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି । ସେହିଭଳି ନିଜକୁ ସୂଚନା ଅଧିକାର କର୍ମୀ କହୁଥିବା ପ୍ରଦୀପ ପ୍ରଧାନ ନାମକ ଜଣେ ବ୍ୟକ୍ତି ମୋ ପରିବାର, ବ୍ୟକ୍ତିଗତ ଜୀବନକୁ ନେଇ ସାମାଜିକ ଗଣମାଧ୍ୟମରେ ନାନା ଆକ୍ଷେପମୂଳକ ଲେଖା ପୋଷ୍ଟ କରୁଛନ୍ତି । ସେମାନେ ମୋତେ ହାରାସ କରି ଆସୁଛନ୍ତି । ମୋ ବିରୋଧରେ ଖବର ପ୍ରକାଶ କରିବାର ଧମକ ଦେଇ ନିୟମିତ ବ୍ଲାକମେଲ୍ କରୁଛନ୍ତି । ମୋ ବନ୍ଧୁ ଓ ଶୁଭେଚ୍ଛୁଙ୍କୁ ବି ଛାଡ଼ୁନାହନ୍ତି । ଏଥିଲାଗି ମୋର ସମ୍ମାନହାନୀ ହେଉଛି । ଖେଳ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼ୁଛି । ମୋ ପ୍ରଶିକ୍ଷକ ଓ ପୃଷ୍ଠପୋଷକଙ୍କୁ ବି ବଦନାମ କରାଯାଉଛି । ଜଣେ କ୍ରୀଡ଼ାବିତ୍ ବିରୋଧରେ ଏଭଳି କାମ କରି ସେମାନେ ଖାଲି ମୋର ନୁହେଁ ଓଡ଼ିଶା ଓ ସର୍ବୋପରି ଭାରତବର୍ଷର କ୍ଷତି କରୁଛନ୍ତି । ସେଥିପାଇଁ ମୁଁ ଏମାନଙ୍କ ବିରୋଧରେ ମାନ୍ୟବର ଅଦାଲତଙ୍କ ଦ୍ୱାରସ୍ଥ ହୋଇଛି । ନ୍ୟାୟ ବ୍ୟବସ୍ଥାରେ ସଂପୂର୍ଣ୍ଣ ଆସ୍ଥା ରହିଛି । ମୋତେ ନ୍ୟାୟ ମିଳିବ ବୋଲି ଦୃଢ଼ ବିଶ୍ୱାସ ଅଛି । କ୍ରୀଡ଼ା ଜୀବନ ପରିବର୍ତ୍ତେ ବ୍ୟକ୍ତିଗତ ଜୀବନକୁ ନେଇ ଏମାନେ କରୁଥିବା ଚର୍ଚ୍ଚା ପାଇଁ ଦିନକୁ ଦିନ ମୋ ମନୋବଳ ଦୁର୍ବଳ ହୋଇଚାଲିଛି । କୋହ ସମ୍ଭାଳି ନପାରି ଦୁଃଖରେ କାନ୍ଦି ପକାଇଥିଲେ ଦୂତି । କହିଥିଲେ, ‘ମୁଁ ସବୁବେଳେ ରାଜ୍ୟ ପାଇଁ ଗୌରବ ଆଣିଛି’ ।
Powered by Froala Editor