ଶୁଭ ସଂକେତ ନେଇ ଆସିଛି ପାଣିପାଗ, ଓଡିଶାରେ ହେବ ଭଲ ବର୍ଷା

ଭୁବନେଶ୍ୱର : ପାଣିପାଗ ପାଇଁ ଶୁଭ ସଂକେତ ନେଇ ଆସିଛି ସେପ୍େଟମ୍ବର । ୫ ଦିନ ବ୍ୟବଧାନରେ ବଙ୍ଗୋପସାଗରରେ ଦୁଇ ଦୁଇଟି ଲଘୁଚାପ ହେବାର ସମ୍ଭାବନା ରହିଛି । ଫଳରେ ରାଜ୍ୟରେ ଅଗଷ୍ଟର ନିଅଣ୍ଟିଆ ବର୍ଷା କିଛି ମାତ୍ରାରେ ଭରଣା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆଶାବାଦୀ ଅଛନ୍ତି । ଭାରତୀୟ ପାଣିପାଗ ବିଭାଗର (ଆଇଏମଡି)ର ଆକଳନ ଅନୁଯାୟୀ ଆସନ୍ତା ୬ ଓ ୧୧ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହେବ । କିନ୍ତୁ ଏହି ବର୍ଷା ରାଜ୍ୟରେ ଚାଷ କାର୍ଯ୍ୟ ପାଇଁ ବିଶେଷ ଉପଯୋଗୀ ହେବ ନାହିଁ ବୋଲି ଆଇଏମଡି କହିଛି । ଅନ୍ୟପଟେ ମୌସୁମୀଜନିତ ନିମ୍ନଚାପରେଖା ଓଡ଼ିଶାର ଗୋପାଳପୁର ମଧ୍ୟ ଦେଇ ପୂର୍ବ ଦିଗରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଯାଏ ଲମ୍ବିଛି । ପାଣିପାଗର ଏହି ନିୟାମକ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସହ ଅନ୍ୟ କେତେକ ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଆଜି ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ହାଲକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ୩ ତାରିଖଠାରୁ ୬ ତାରିଖ ଯାଏ ବର୍ଷାର ପରିମାଣ ଧୀରେଧୀରେ ବଢ଼ିବ । ୪ ତାରିଖ ଦିନ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବ ଓ ସଂଲଗ୍ନ ଅଞ୍ଚଳଗୁଡ଼ିକରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ । ୫ ଓ ୬ ତାରିଖ ଦିନ ବର୍ଷାର ପରିମାଣ ଓ ବିସ୍ତୃତି ଅଧିକ ରହିବ । ୫ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ଓ ୬ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ-ୱାର୍ଣ୍ଣିଂ ଜାରି କରାଯାଇଛି ।
Powered by Froala Editor