୧୮୧୯ କୋଟିର ଜାଲ ବିଲ୍ ରାକେଟର ପର୍ଦ୍ଧାଫାସ, ମାଷ୍ଟରମାଇଣ୍ଡ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଗିରଫ

କଟକ : ୧୮୧୯ କୋଟି ଟଙ୍କାର ଜାଲ୍ ବିଲ୍ ରାକେଟର ପର୍ଦ୍ଧାଫାସ କରିଛି ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ୍ ସ୍କ୍ୱାଡ୍ । ଏହି ଜାଲିଆତିର ମାଷ୍ଟରମାଇଣ୍ଡ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଅମିତ ଅଗ୍ରୱାଲଙ୍କୁ ଝାରସୁଗୁଡାରୁ ଓ ସତୀନ୍ଦ୍ର କୁମାର ଯାଦବଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି । ଏମାନେ ଜାଲ ବିଲ ବଳରେ ୩୨୩ କୋଟି ଟଙ୍କାର ଜାଲ୍ ଇନପୁଟ୍ ଟ୍ୟାକ୍ସ୍ କ୍ରେଡିଟ୍ (ଆଇଟିସି) ହାତେଇଛନ୍ତି । ବାଣିଜ୍ୟକର ଏବଂ ଜିଏସଟି କମିସନରେଟ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ଦୁଇ ଜଣ ଅନ୍ୟ କେତେକଙ୍କ ସହିତ ମିଶି ୧୩ଟି ଜାଲ୍ ବ୍ୟବସାୟୀକ ପ୍ରତିଷ୍ଠାନ ଖୋଲିବା ସହିତ ଜାଲ୍ କିଣା ବିଲ୍ ମାଧ୍ୟମରେ ଆଇଟିସି ହାତଉଥିଲେ । ଏହି ଜାଲ୍ ପ୍ରତିଷ୍ଠାନର ଚେର ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଦିଲ୍ଲୀକୁ ବ୍ୟାପିଛି । ଏହି ଦୁଇ ଅଭିଯୁକ୍ତ କୋଲକାତାରେ ରହୁଥିବା ଝୋଟ କଳ ଶ୍ରମିକ, ଝାଡୁଦାର ଏବଂ ସେହି ଶ୍ରେଣୀର ଅନ୍ୟ ଲୋକଙ୍କୁ ଟାର୍ଗେଟ କରୁଥିଲେ । ସେମାନଙ୍କୁ ଚାକିରି ଦେବାକୁ କହି ସେମାନଙ୍କର ଫଟୋ, ଭୋଟର ପରିଚୟପତ୍ର, ପ୍ୟାନ କାର୍ଡ, ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍ ଇତ୍ୟାଦି ହାତେଇ ନେଉଥିଲେ । ସେମାନଙ୍କ ନାମରେ କଂପାନି ଖୋଲୁଥିଲେ । ସେମାନଙ୍କ ପରିଚୟପତ୍ର ବ୍ୟବହାର କରି ଜିଏସଟି ପଂଜୀକରଣ ସହିତ ବ୍ୟାଙ୍କରେ କରେଣ୍ଟ ଆକାଉଣ୍ଟ ଖୋଲୁଥିଲେ । ଜାଲ୍ କଂପାନିରେ କୌଣସି ସାମଗ୍ରୀ ଆଦାନ ପ୍ରଦାନ ହେଉ ନଥିଲେ ବି ଜାଲ୍ ବିଲ୍ କିନ୍ତୁ ପ୍ରସ୍ତୁତ କରାଯାଉଥିଲା । ଏହି ପ୍ରକ୍ରିୟାରେ ୧୮୧୯ କୋଟିର ଜାଲ୍ ବିଲ୍ ପ୍ରସ୍ତୁତ ହୋଇଥିବା ବେଳେ ସେଥିରୁ ୩୨୩ କୋଟିର ଆଇଟିସି ଫାଇଦା ଏମାନେ ନେଇ ଯାଇଥିଲେ । ଓଡ଼ିଶା ଜିଏସଟି ଆଇନ ୨୦୧୭ର ବିଭିନ୍ନ ଧାରା ଅନୁଯାୟୀ ଏଭଳି କାରବାର ଜାମିନବିହୀନ ଧର୍ତ୍ତବ୍ୟ ଅପରାଧ । ଗଲା କିଛି ମାସ ଭିତରେ ଏଭଳି କାରବାରରେ ସଂପୃକ୍ତ ୨୩ ଠକ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିବା ବେଳେ ଏଯାଏ ମୋଟ ୨୯ ହଜାର ୨ ଜଣ ବ୍ୟବସାୟୀଙ୍କ ପଞ୍ଜୀକରଣ ରଦ୍ଧ କରାଯାଇଛି । ଏଭଳି ଜାଲିଆତି ରୋକିବା ପାଇଁ ସାଧାରଣ ଲୋକଙ୍କୁ ସେମାନଙ୍କ ପରିଚୟପତ୍ର ଏବଂ ଅନ୍ୟ ପ୍ରମାଣପତ୍ର କୌଣସି ଲୋକଙ୍କୁ ନ ଦେବା ପାଇଁ ଅନୁରୋଧ କରାଯାଇଛି । ଏଭଳି ଜାଲିଆତି ବିରୋଧରେ ଚଢଉ ଅଭିଯାନ ଆଗକୁ ଆହୁରି ବ୍ୟାପକ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Powered by Froala Editor