ଝାଡ଼ାବାନ୍ତିରେ ଦୁଇ ମୃତ
ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ପରେ ସାନଖେମୁଣ୍ଡି ବ୍ଲକ୍ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗ୍ରାମରେ ଝାଡ଼ାବାନ୍ତିରେ ୭ରୁ ଅଧିକ ଜଣ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଦୁଇଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ସେହି ଗାଁର ସୁରେନ୍ଦ୍ର ମଳିକ ଓ ସମ୍ବାରୁ ମଲ୍ଲିକ । ଅସୁସ୍ଥମାନେ ହେଲେ ସେହି ଗାଁର ରଘୁନାଥ ମଳିକ, ରୁନି ମଳିକ, ଜାଇଲ ମଳିକ ଓ ଅନନ୍ତ ମଳିକ ।
ଗତ ଚାରି/ ପାଞ୍ଚ ଦିନ ହେବ ଗାଁରେ ଝାଡ଼ାବାନ୍ତି ଲାଗି ରହିଛି । ବୁଧବାର ପାଞ୍ଚ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଟିମ୍ ଗାଁରେ ପହଞ୍ଚି ଲୋକଙ୍କୁ ସଚେତନତା କରିଛି । ଏଥିସହ ରୋଗ ବ୍ୟାପିବାର କାରଣ ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ । ତେଣେ ଗାଁରେ ଆଶଙ୍କାର ବାତାବରଣ ସୃଷ୍ଟି ହୋଇଛି । ଗ୍ରାମର ନଳକୂପରୁ ପାଣି ପିଇବା ଫଳରେ ଝାଡ଼ାବାନ୍ତି ବ୍ୟାପିଥିବା ଅନୁମାନ କରାଯାଉଛି । ୧୫ ଦିନ ତଳେ ଜଣେ ବ୍ୟକ୍ତିଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ପରେ ଭୋଜି ହୋଇଥିଲା । ତାହା ଖାଇ ଝାଡ଼ାବାନ୍ତି ବ୍ୟାପିଥିବା ସନ୍ଦେହ କରୁଛନ୍ତି ଗ୍ରାମବାସୀ ।
Powered by Froala Editor