ଆଉ ଜଣେ କଂଗ୍ରେସ ନେତାଙ୍କୁ କରୋନା
ଭୁବନେଶ୍ୱର : କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ କରୋନା ଆକ୍ରାନ୍ତ ହୋଇଛନ୍ତି । କୌଣସି ଲକ୍ଷଣ ନଥିଲେ ମଧ୍ୟ ସେ ଏକ ଘରୋଇ ହସପିଟାଲରେ ସ୍ୱାବ ପରୀକ୍ଷା କରିଥିଲେ । ସ୍ୱାବ ପରୀକ୍ଷାରୁ ସେ ପଜିଟିଭ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟଯେ, ନିକଟରେ ସେ ପିପିଲି ଉପନିର୍ବାଚନ ପାଇଁ ପ୍ରଚାର କରିବାକୁ ଯାଇଥିଲେ । ପିପିଲିରେ କଂଗ୍ରେସ ପକ୍ଷରୁ ହୋଇଥିବା ଶୋଭାଯାତ୍ରାରେ ସେ ସାମିଲ ହୋଇଥିଲେ ।
କରୋନା ଆକ୍ରାନ୍ତ ହେବା ପରେ ଶ୍ରୀ ଚୌଧୁରୀ କହିଛନ୍ତିଯେ, ସେ ଏବେ ସୁସ୍ଥ ଅଛନ୍ତି । ତାଙ୍କର ସେଭଳି କୌଣସି ଲକ୍ଷଣ ନାହିଁ । ତେବେ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଏବେ ଆଇସୋଲେସନରେ ରହିବେ । ନିକଟ ଅତୀତରେ ତାଙ୍କ ସହ ଯେଉଁମାନେ ସଂସ୍ପର୍ଶରେ ଆସିଥିବେ ସେମାନେ ସଂଗରୋଧରେ ରହିବା ସହ ଆବଶ୍ୟକୀୟ ପରୀକ୍ଷା ଓ ଡାକ୍ତରୀ ପରାମର୍ଶ କରିବାକୁୁ ସେ ଅନୁରୋଧ କରିଛନ୍ତି ।
ଅପରପକ୍ଷରେ ଶ୍ରୀ ଚୌଧୁରୀଙ୍କୁ କରୋନା ହୋଇଥିବା ଜଣାପଡ଼ିବା ପରେ ତାଙ୍କର ଶୁଭେଚ୍ଛୁ ଓ ସମର୍ଥକମାନେ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ସୂଚନାଯୋଗ୍ୟଯେ, ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନା ଆକ୍ରାନ୍ତ ହୋଇ ଆପୋଲୋରେ ଚିକିତ୍ସିତ ହେଉଛନ୍ତି । ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ସଂଗରୋଧରେ ରହିଛନ୍ତି ।