ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ!
ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହୋଇପାରେ। ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିଶନ ଜୋର୍ଦାର ପ୍ରସ୍ତୁତି ଚଳାଇଛନ୍ତି। ସେଥିପାଇଁ ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଅକ୍ଟୋବର ୨୪ରୁ ନଭେମ୍ୱର ୭ ପର୍ଯ୍ୟନ୍ତ ଘରକୁ ଘର ସର୍ଭେ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ସୂଚନା ଦେଇଛନ୍ତି। ପାଢ଼ୀ କହିଛନ୍ତି, ଘରକୁ ଘର ସର୍ଭେ ସରିବା ପରେ ଭୋଟର ତାଲିକା ନେଇ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ। ଫେବୃଆରୀ ୨ୟ ସପ୍ତାହ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ସରିବା ପରେ ଘୋଷଣା ଅର୍ଥାତ୍ ମାର୍ଚ୍ଚ ୫ ପରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ବର୍ତ୍ତମାନ ପଞ୍ଚାୟତଗୁଡିକର ଅବଧି ଫେବୃଆରୀରେ ସରୁଛି। ଜନଗଣନା ପାଇଁ ପଞ୍ଚାୟତ ନିର୍ବାଚନ ଗୋଟିଏ ମାସ ବିଳମ୍ୱ ହେବ। ପଞ୍ଚାୟତ ନିର୍ବାଚନ ସରିବାର ପ୍ରାୟ ମାସକ ପରେ ପୌର ନିର୍ବାଚନ ହେବ ବୋଲି ପାଢ଼ୀ କହିଛନ୍ତି।
ସୂଚନାଯୋଗ୍ୟ, ୨୦୨୭ ମାର୍ଚ୍ଚ ବେଳକୁ ଜନଗଣନା କାର୍ଯ୍ୟ ଶେଷ ହୋଇ ନ ଥିବ। ଆସନ୍ତା ବର୍ଷ ମାର୍ଚ୍ଚରେ ବିଧାନସଭା ଅଧିବେଶନ ଚାଲିବା ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ମାର୍ଚ୍ଚରେ ପଞ୍ଚାୟତ ଓ ପୌର ଭୋଟ ହେବା ସମ୍ଭବ ହୋଇନ ପାରେ। ଜନଗଣନା ସରି ତା’ର ରେଜଲ୍ଟ ଆସିବା ବେଳକୁ ପ୍ରାୟ ନଭେମ୍ୱରରୁ ଡିସେମ୍ୱର ହୋଇଯିବା ଯଥେଷ୍ଟ ସମ୍ଭାବନା ରହିଛି। ଏହା ଭିତରେ କେନ୍ଦ୍ର ସରକାର ପୁନର୍ବାର ସମ୍ୱିଧାନ ସଂଶୋଧନ ବିଧେୟକ ପାର୍ଲାମେଣ୍ଟରେ ଆଗତ ନ କରିବେ, ସେକଥାକୁ ଏଡାଇ ଦିଆଯାଇପାରିବ ନାହିଁ। ଏସବୁ ଦିଗକୁ ଦେଖିବା ପରେ ପଞ୍ଚାୟତ ଓ ପୌର ନିର୍ବାଚନ ଆହୁରି ବିଳମ୍ୱ ହୋଇପାରେ ବୋଲି ରାଜନୈତିକ ସମୀକ୍ଷାକମାନେ ମତ ରଖୁଛନ୍ତି।
ବିଜେଡି ବିଧାୟକ ପ୍ରତାପ କୁମାର ଦେବ କହିଛନ୍ତି, ରାଜ୍ୟ ନିର୍ବାଚନ କମିଶନର ତାଙ୍କ ମତ ରଖିଲେ। ପଞ୍ଚାୟତ
ଓ ପୌର ନିର୍ବାଚନ କେବେ ହେବ ତାହାର ନିଷ୍ପତ୍ତି ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହେବ। ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି, ପଞ୍ଚାୟତ ଓ ପୌର ନିର୍ବାଚନ ଆଇନ ଅନୁଯାୟୀ ଯଥା ସମୟରେ କରାଯିବା କଥା। ଏଥିପାଇଁ କୌଣସି ମତେ ସମୟ ଗଡ଼ାଯିବା କଥା ନୁହେଁ। ଗୋଟେ ମାସ ମଧ୍ୟ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଳମ୍ୱ ହେବା ଆଇନର ଉଲ୍ଲଂଘନ। ଏହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ହୋଇଯିବ। ମୁଖ୍ୟ କଥା ହେଉଛି, ସରକାର ହାରିଯିବେ ବୋଲି ଡରିକି ପଞ୍ଚାୟତ ଓ ପୌର ନିର୍ୱାଚନ ବିଳମ୍ୱରେ କରିବାକୁ ଚାହୁଁଛନ୍ତି। ମାତ୍ର ଏଥର କଂଗ୍ରେସ ପଞ୍ଚାୟତ ଓ ପୌର ନିର୍ବାଚନ ଭଲ ପ୍ରଦର୍ଶନ କରିବ ବୋଲି ସାଲୁଜା କହିଛନ୍ତି।
Powered by Froala Editor