ଜଳବନ୍ଦୀ ଗ୍ରାମରୁ ଗର୍ଭବତୀଙ୍କୁ ସୁରକ୍ଷିତ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲେ ବିଞ୍ଝାରପୁର ଅଗ୍ନିଶମ ବାହିନୀ
ବିଞ୍ଝାରପୁର : ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଜଳବନ୍ଦୀ ଅବସ୍ଥାରେ ଥିବା ଏକ ଗ୍ରାମରୁ ଜଣେ ପ୍ରସବ ବେଦନା ଭୋଗୁଥିବା ଗର୍ଭବତୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ବିଞ୍ଝାରପୁର ଅଗ୍ନିଶମ ବାହିନୀ। ଠିକ୍ ସମୟରେ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ମହିଳାଜଣକ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ହଳଦିଢିହ ପଞ୍ଚାୟତ ଅନ୍ତର୍ଗତ ଫଳପୁର ଗ୍ରାମର ଅନିଲ ଗୁରୁଙ୍କ ପତ୍ନୀ ଅର୍ଚ୍ଚନା ଦାସ ଗୁରୁବାର ଅପରାହ୍ନରେ ଗମ୍ଭୀର ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଗ୍ରାମଟି ଚାରିପଟୁ ପାଣି ଘେରରେ ଥିବାରୁ ସେଠାକୁ ଆମ୍ବୁଲାନ୍ସ ପହଞ୍ଚିବା ସମ୍ଭବପର ହୋଇନଥିଲା। ଏ ସମ୍ପର୍କରେ ଖବର ପାଇ ବିଞ୍ଝାରପୁର ଅଗ୍ନିଶମ ବାହିନୀ ତୁରନ୍ତ ତତ୍ପରତା ପ୍ରକାଶ କରିଥିଲା। ଦଳ ମୁଖ୍ୟ ବିଜୟାନନ୍ଦ ପରିଡ଼ାଙ୍କ ନେତୃତ୍ୱରେ ରମାକାନ୍ତ ବେହେରା, ତେଜରାଜ ଧରୁଆ, ସୁରେଶ କୁମାର ସାହୁ ଏବଂ ମଣ୍ଟୁ ଯେନା ପ୍ରମୁଖ ଏକ ପାୱାର ବୋଟ୍ ସାହାଯ୍ୟରେ ଅର୍ଚ୍ଚନାଙ୍କ ନିକଟରେ ପହଞ୍ଚିଥିଲେ। ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।
ଶୁକ୍ରବାର ଅର୍ଚ୍ଚନା ଜିଲା ମୁଖ୍ୟ ଚିକିତ୍ସାଳୟରେ ଦୁଇଟି ଯାଆଁଳା ସନ୍ତାନ ପ୍ରସବ କରିଛନ୍ତି।
Powered by Froala Editor