ଅସହ୍ୟ ତାତି ସହୁଛନ୍ତି ପଶ୍ଚିମ ଓଡ଼ିଶାବାସୀ, ଉପକୂଳରେ ପ୍ରବଳ ଗୁଳୁଗୁଳି
ଭୁବନେଶ୍ବର : ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷୁଛି। ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁଁ ପଶ୍ଚିମ ଓଡ଼ିଶାବାସୀ ଅସହ୍ୟ ତାତି ସହୁଛନ୍ତି। ପଶ୍ଚିମ ଓଡ଼ିଶାକୁ ଉତ୍ତର- ପଶ୍ଚିମ ଦିଗରୁ ଗରମ ଶୁଷ୍କ ପବନ ପ୍ରବାହିତ ହେଉଛି। ପୁଣି ପଶ୍ଚିମାଞ୍ଚଳ ଆକାଶ ମେଘମୁକ୍ତ ରହିବା ସହ ବାୟୁମଣ୍ଡଳରେ ଜଳୀୟ ବାଷ୍ପ କମ୍ ରହୁଛି। ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ତାତି ବଢ଼ୁଛି। ଅପରପକ୍ଷରେ ଉପକୂଳ ଓଡ଼ିଶାରେ ପ୍ରବଳ ମାତ୍ରାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ପଶ୍ଚିମ ଓଡ଼ିଶା ପରି ଉପକୂଳରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଉନାହିଁ, ହେଲେ ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଅଧିକ ରହିବା ହେତୁ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି।
ଗୁରୁବାର ଦିନ ତାପମାତ୍ରା ୪୫.୫ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହରରେ ପରିଣତ ହୋଇଛି। ଏଠାରେ ମଙ୍ଗଳବାର ଦିନ ତାପମାତ୍ରା ୪୪.୬ ଡିଗ୍ରୀ ଥିବାବେଳେ ବୁଧବାର ୪୬ ଡିଗ୍ରୀରେ ପହଞ୍ଚିଥିଲା। ଗତ ଦୁଇ ଦଶନ୍ଧି ମଧ୍ୟରେ ଝାରସୁଗୁଡ଼ାରେ ଗ୍ରୀଷ୍ମ ଋତୁର ରୂପରେଖ ସମ୍ପୂର୍ଣ୍ଣ ବଦଳିଛି।
ହୀରାକୁଦ ଓ ଟିଟିଲାଗଡ଼ରେ ଦିନ ତାପମାତ୍ରା ୪୪.୫ ଡିଗ୍ରୀ ଥିବାବେଳେ ବଲାଙ୍ଗିରରେ ୪୪.୬, ସୁବର୍ଣ୍ଣପୁରରେ ୪୪.୩, ବୌଦ୍ଧରେ ୪୪.୨ ଡିଗ୍ରୀ ରହିଥିଲା। ସେହିପରି ଅନୁଗୋଳରେ ୪୩.୬, ତାଳଚେରରେ ୪୩.୮ ଡିଗ୍ରୀ ରେକର୍ଡ଼ ହୋଇଛି। ଭୁବନେଶ୍ବରରେ ଚଳିତବର୍ଷର ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରୀ ଥିବାବେଳେ କଟକରେ ପାରଦ ୪୦.୨ ଡିଗ୍ରୀ ଛୁଇଁଛି। ରାଜ୍ୟର ୨୪ଟି ସ୍ଥାନରେ ପାରଦ ଉପରମୁହାଁ ହୋଇ ୪୦ରୁ ୪୫.୫ ଡିଗ୍ରୀ ମଧ୍ୟରେ ରହିଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ଜାରି ରହିବ। ପଶ୍ଚିମ ଓଡ଼ିଶାରେ ଦିନ ତାପମାତ୍ରା ୪୬ ଡିଗ୍ରୀ ଅତିକ୍ରମ କରିବ। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର ଏବଂ ନୟାଗଡ଼ ଜିଲାକୁ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଯାଜପୁର, କେନ୍ଦ୍ରାପଡ଼ା, ବରଗଡ଼, ଅନୁଗୋଳ, ଭଦ୍ରକ, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ସୁନ୍ଦରଗଡ଼ ଜିଲାକୁ ଗ୍ରୀଷ୍ମ ଲହରୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ତଳେ ରହୁଛି ସତ, ହେଲେ ବାୟୁମଣ୍ଡଳରେ ଆର୍ଦ୍ରତା ୭୦ରୁ ୮୦% ରହୁଛି। ତେଣୁ କମ୍ ତାପମାତ୍ରା ରହୁଥିଲେ ମଧ୍ୟ ଅଧିକ ତାପମାତ୍ରା ଭଳି ସ୍ଥିତି ଅନୁଭବ ହେଉଛି। ବାଲେଶ୍ବର, ଜଗତସିଂହପୁର, କଟକ, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋରଧା ଜିଲାକୁ ଗରମ ସହିତ ଗୁଳୁଗୁଳି ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।
Powered by Froala Editor