ପୁଅ ଫେରିବ ବୋଲି ପୂର୍ବମୁହାଁ ହୋଇ ବସିଛନ୍ତି ବାପା
୮ ମାସ ତଳେ ନିଖୋଜ ହୋଇଥିବା ପୁଅକୁ ପାଇବାକୁ ଜଣେ ବାପା ଗଞ୍ଜାମରୁ ଭୁବନେଶ୍ୱର ଆସିଛନ୍ତି। ଜଣେ ବାବାଙ୍କ ପରାମର୍ଶକ୍ରମେ ବ୍ୟକ୍ତିଜଣକ ଖଣ୍ଡଗିରିସ୍ଥିତ ଜାତୀୟ ରାଜପଥର ଡିଭାଇଡର ଉପରେ ୩ଦିନ ହେବ ପୂର୍ବମୁହଁା ହୋଇ ବସି ରହିଛନ୍ତି।
ଓଳିଏ କି ଦିନେ ନୁହେଁ, ୩ ଦିନ ଧରି ଏମିତି ଚୁପ୍ଚାପ୍ ବସି ରହିଥିଲେ । ଘଟଣା କ’ଣ ବୁଝୁ ବୁଝୁ ଜଣାପଡ଼ିଲା ଯେ ବ୍ୟକ୍ତିଜଣକ ହେଉଛନ୍ତି, ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳର ସନ୍ୟାସୀ ସାହୁ । ସେ ୭ବର୍ଷ ହେବ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଧୋଡ଼ାପଲ୍ଲୀ ଗ୍ରାମସ୍ଥିତ ଗୋପୀନାଥ ଦେବଙ୍କ ମନ୍ଦିରରେ ପୂଜକ ରହିଛନ୍ତି। ତାଙ୍କ ପୁଅ ଅମ୍ବିକା ପ୍ରସାଦ ସାହୁ ଓରଫ୍ ଶୁଭମ୍ ଦୀର୍ଘ ୮ ମାସ ଧରି ନିଖୋଜ ଅଛନ୍ତି । ତାଙ୍କ ପୁଅ ଯୁକ୍ତ ୨ ସାଇନ୍ସ ପାସ୍ କରିବା ପରେ ଇଞ୍ଜିନିୟରିଂ କରିବ ବୋଲି ଇଚ୍ଛା କଲା । ଗରିବ ଲୋକ ହୋଇଥିବାରୁ ସନ୍ୟାସୀ ପ୍ରଥମେ ପାଠ ପଢ଼ାଇବାକୁ ମନା କଲେ । ପୁଅ ଜିଦ୍ ଧରିବାରୁ ସନ୍ୟାସୀ ବାଧ୍ୟ ହୋଇ ଏକ ଲକ୍ଷ ଟଙ୍କା ପୁଅ ହାତରେ ଧରାଇ ଭୁବନେଶ୍ୱରକୁ ପଠାଇଥିଲେ ।
ତାଙ୍କ କହିବା ଅନୁସାରେ, ପୁଅ ଅମ୍ବିକା ପ୍ରସାଦ ସାହୁ ଯୁକ୍ତ୨ ପାସ କରିବା ପରେ ବି.ଟେକ ପଢିବାକୁ ଭୁବନେଶ୍ବର ଆସିଥିଲେ। ଏଥିପାଇଁ ସନ୍ୟାସୀ ତାଙ୍କୁ ଧାର ଉଧାର କରି ୧ ଲକ୍ଷ ଟଙ୍କା ଦେଇଥିଲେ। ପାଠ ପଢିବାକୁ ଅଧିକ ଟଙ୍କା ଯୋଗାଇ ନ ପାରିବାରୁ ପୁଅ ଅମ୍ବିକା ଡେଲିଭରି ବୟ ଭାବରେ କାମ କରିଥିଲେ। ପରେ ସେ ଅଧିକ ଟଙ୍କା ରୋଜଗାର ଆଶାରେ ତାଙ୍କର କିଛି ସାଙ୍ଗଙ୍କ ସହିତ ବେଙ୍ଗାଲୁରୁ ଚାଲି ଯାଇଥିଲେ। ସେ ବେଙ୍ଗାଲୁରୁରେ ଥିବା ସମୟରେ ଗତ ୨୦୨୫ ଅକ୍ଟୋବର ୨୮ରେ ଘରକୁ କଲ୍ କରି ୫୦ ହଜାର ଟଙ୍କା ମାଗିଥିଲେ।
ଘରୁ ଟଙ୍କା ପଠାଇବା ପରେ ସେ ବନ୍ଧା ପକାଇଥିବା ତାଙ୍କ ମୋବାଇଲ ମୁକୁଳାଇ ଆଣିଥିବା ଫୋନ୍ରେ ବାପାଙ୍କୁ କହିଥିଲେ। ଏହା ପରଠୁ ଆମ୍ବିକାଙ୍କ ଫୋନ୍ ସୁଇଚ୍ ଅଫ୍ ରହିଛି। ବହୁ ଖୋଜାଖୋଜି ପରେ ପୁଅ ସମ୍ପର୍କରେ କିଛି ସୂଚନା ନ ପାଇବାରୁ ସନ୍ନ୍ୟାସୀ ଜଗନ୍ନାଥ ପ୍ରସାଦ ଥାନାରେ ଅଭିଯୋଗ କରିଥିଲେ।
ପୋଲିସ ଏକ ମାମଲା ନଂ. ୪୯/୨୦୨୫ ରୁଜୁ କରି ଅମ୍ବିକାଙ୍କ ୪ଟି ଫଟୋ ଓ ଆଧାର କାର୍ଡ ମାଗିଥିଲା। ସବୁ ଦେବା ପରେ ମଧ୍ୟ ନିଖୋଜ ପୁଅର ଖୋଜଖବର ନ ମିଳିବାରୁ ଗଞ୍ଜାମ ଏସ୍ପିଙ୍କୁ ଭେଟି ଦୁଃଖ ଜଣାଇଥିଲେ। ହେଲେ ପୁଅ ନିଖୋଜ ହେବାର ୮ ମାସ ବିତିଥିଲେ ମଧ୍ୟ କୌଣସି ଖବର ନ ପାଇ ସେ ଜଣେ ବାବାଙ୍କ ପରାମର୍ଶ ନେଇଥିଲେ। ବାବାଙ୍କ କହିବା ଅନୁସାରେ, ପୁଅ ଭୁବନେଶ୍ବରରେ ରହୁଛି। ଖଣ୍ଡଗିରି ଅଞ୍ଚଳରେ ପୂର୍ବ ଦିଗକୁ ଚାହିଁ ବସିଲେ ୭ ଦିନ ମଧ୍ୟରେ ପୁଅ ସେହି ବାଟରେ ଯାଉଥିବା ଦେଖିବାକୁ ମିଳିବ। ସେଥିପାଇଁ ସେ ଖଣ୍ଡଗିରି ଛକରେ ୩ଦିନ ହେବ ପୂର୍ବ ଦିଗକୁ ଚାହିଁ ବସିଥିବା ସନ୍ନ୍ୟାସୀ କହିଛନ୍ତି।
ସେବେଠୁ ସନ୍ୟାସୀ ଭୁବନେଶ୍ୱରରେ ଘୁରି ବୁଲୁଛନ୍ତି । ଦିନରେ ଯୁଆଡ଼େ ରହୁଛନ୍ତି, ପୂର୍ବ ଦିଗକୁ ମୁହଁ କରି ବସୁଛନ୍ତି । ବରମୁଣ୍ଡା ବସ୍ଷ୍ଟାଣ୍ଡରେ ରାତି ବିତାଉଛନ୍ତି।
Powered by Froala Editor