ମୋତେ ବହିଷ୍କାର ପରେ ଝିଅକୁ କୌଣସି କାର୍ଯ୍ୟକ୍ରମରେ ଡାକୁନଥିଲେ
ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର "ହୁଇପ୍'କୁ ନ ମାନି କ୍ରସ୍ ଭୋଟିଂ କରିଥିଲେ । କଂଗ୍ରେସ ଏହି ୩ ଜଣଙ୍କୁ ଦଳରୁ ନିଲମ୍ବିତ କରିଛି । କଂଗ୍ରେସରୁ ବହିଷ୍କୃତ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, କଂଗ୍ରେସ ଦଳ ଝିଅ ସୋଫିଆଙ୍କୁ ଅଣଦେଖା କରୁଥିଲା । ମୋତେ ବହିଷ୍କାର ପରେ ତାକୁ ବେଶି ଅଣଦେଖା କରାଯାଉଥିଲା । କଟକରେ କାହାକୁ ଦଳରେ ମିଶାଇଲେ ବି ଜଣାଉ ନ ଥିଲେ । ଏପରିକି ଦଳର ମହିଳା କାର୍ଯ୍ୟକ୍ରମକୁ ମଧ୍ୟ ଡାକୁ ନ ଥିଲେ । ଯଦି ଦଳ ତାଙ୍କୁ ବହିଷ୍କାର କରେ ଓଡ଼ିଶା-ଜନତା-କଂଗ୍ରେସ ପାଇଁ କାମ କରିବ । ଏପରିକି ସେ ନିଲମ୍ବିତ ବିଧାୟକମାନଙ୍କୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି, ଏହି ବିଧାୟକମାନେ ଗୋଟିଏ ପ୍ଲାଟଫର୍ମରେ ସାମିଲ ହୁଅନ୍ତି ।
ଅନ୍ୟପଟେ ଭକ୍ତ କହିଛନ୍ତି, ଦାଶରଥି ଦଳପ୍ରତି ବିଶ୍ୱାସଘାତକତା କରିଛନ୍ତି । ରମେଶ ମୋତେ ଭେଟି ଦଳୀୟ ନିଷ୍ପତ୍ତିକୁ ସମ୍ମାନ ଦେବେ ବୋଲି କଥା ଦେଇଥିଲେ । ହେଲେ ସେ ଧୋକ୍କା ଦେଇଛନ୍ତି । ତାଙ୍କ ଭବିଷ୍ୟତକୁ ମଧ୍ୟ ଅନ୍ଧାରକୁ ଠେଲି ଦେଇଛନ୍ତି । ସେହିପରି ସୋଫିଆ ଝିଅଙ୍କ ବଡ଼ ଭବିଷ୍ୟତ ଥିବାବେଳେ ସେ ମଧ୍ୟ ଭୁଲ୍ ରାସ୍ତାରେ ଯାଇଛନ୍ତି । ସେମାନଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିବୁ । ଆବଶ୍ୟକ ପଡ଼ିଲେ ସୁପ୍ରିମକୋର୍ଟ ଯିବୁ ବୋଲି ଭକ୍ତ କହିଛନ୍ତି । ସେ କହିଛନ୍ତି, ଏମାନେ ଗଣମାଧ୍ୟମ ସମ୍ମୁଖରେ କଥା ହେଲାବେଳେ ସିଂହ ଭଳି ହେଉଛନ୍ତି, ମାତ୍ର କାର୍ଯ୍ୟରେ ମୂଷା ଓ ଛେଳି ଭଳି ବିକ୍ରି ହାଇଯାଉଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ଘୋଡ଼ା ବେପାର ପଶିଯିବାରୁ ବିଧାୟକମାନେ ଏଭଳି ଭାବେ ନିୟମ ବିରୋଧ କାର୍ଯ୍ୟ କରିଛନ୍ତି ।
Powered by Froala Editor