ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯାଉଥିଲେ, ପୁଲିସ ହେପାଜତରୁ ଚମ୍ପଟ ମାରିଲେ ଅଫିମ ଆସାମୀ
କୋଇଡ଼ା: ସୁନ୍ଦରଗଡ଼ ଜିଲା କୋଇଡ଼ା ଖଣି ଅଞ୍ଚଳରୁ ଶନିବାର ୯ଟାରେ ୪୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଅଫିମ ଗଛ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ କରାଯାଇଛି। ଏହି ଘଟଣାରେ ପୁଲିସ ଦୁଇଜଣଙ୍କୁ ଅଟକ ରଖିଥିଲା। ତେବେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସେମାନଙ୍କୁ ନିଆଯାଉଥିବାବେଳେ ପୁଲିସ ହେପାଜତରୁ ଜଣେ ଆସାମୀ ଚମ୍ପଟ ମାରିଛି। ପୁଲିସ ତା ଉପରକୁ ଗୁଳି ଚଳାଇଥିଲେ ମଧ୍ୟ ସେ ଖସିଯିବାରେ ସକ୍ଷମ ହୋଇଛି। ସୂଚନାଯୋଗ୍ୟ, କୋଇଡ଼ା ଥାନା ଅନ୍ତର୍ଗତ ପୁଣ୍ଡିପୋଖରୀ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଗଛ କାଟି ପ୍ରାୟ ୫ ଏକର ଜମିରେ ଅଫିମ ଚାଷ କରାଯାଇଥିଲା। ଗଛଗୁଡ଼ିକ ବଡ଼ ହୋଇ ଫୁଲ ମଧ୍ୟ ଆସିଯାଇଥିଲା। ଏନେଇ ଖବର ମିଳିବା ପରେ ବଣାଇ ଉପଖଣ୍ଡ ପୁଲିସ ଅଧିକାରୀ ରାମଚନ୍ଦ୍ର ବିଶ୍ବାଳଙ୍କ ନେତୃତ୍ବରେ କୋଇଡ଼ା ଥାନା ଅଧିକାରୀ ରାଜେନ୍ଦ୍ର ସ୍ବାଇଁ, କେ.ବଲାଙ୍ଗ ଥାନା ଅଧିକାରୀ ଅଶୋକ ବେହେରା ଏବଂ ଅବକାରୀ ବିଭାଗ ଅଧିକାରୀ ହେମନ୍ତ ମହାନନ୍ଦିଆ ଦଳ ମିଳିତ ଭାବେ ଆଜି ଚଢ଼ଉ କରିଥିଲେ। ଏହି ଚାଷ ପଛରେ ଓଡ଼ିଶାରୁ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପର୍ଯ୍ୟନ୍ତ ଚେର ଲମ୍ବିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
Powered by Froala Editor