କଟକର ସ୍ପେଶାଲ ସର୍କିଟ୍ ହାଉସ୍ର ନୂଆ ଆନେକ୍ସ ବିଲ୍ଡିଙ୍ଗ୍ ସମେତ ନୂଆ ତହସିଲ ଅଫିସର ମୁଖ୍ୟମନ୍ତ୍ରୀ କଲେ ଭିଭିପ୍ରସ୍ତର ସ୍ଥାପନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ ଯାଇ କଟକର ସ୍ପେଶାଲ ସର୍କିଟ୍ ହାଉସ୍ର ନୂଆ ଆନେକ୍ସ ବିଲ୍ଡିଙ୍ଗ୍ ସମେତ ନୂଆ ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ ପାଇଁ ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି।
ସୂଚନା ଯୋଗ୍ୟଯେ ସ୍ପେଶାଲ ସର୍କିଟ୍ ହାଉସ୍ ବିଲ୍ଡିଙ୍ଗଟି ୫ ମହଲା ବିଶିଷ୍ଟ କରାଯିବ ଏବଂ ପ୍ରାୟ ୨୦,୧୭୫ ବର୍ଗ ମିଟର ଯାଗାରେ ଏହି ବିଲ୍ଡିଙ୍ଗ ପାଇଁ ୧୩ କୋଟି ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ ୪ ମହଲା ବିଶିଷ୍ଟ ଏହି ବିଲ୍ଡିଙ୍ଗଟି ପ୍ରାୟ ୩,୬୭୨ ବର୍ଗ ମିଟର ଅଞ୍ଚଳରେ ୧୮ କୋଟି ୮୦ ଲକ୍ଷ ଟଙ୍କା ବିନିଯୋଗରେ ନିର୍ମାଣ କରାଯିବ।
ଏହି ଅବସରରେ ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କଟକ ର ନୂତନ ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ ରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ରହିବ । ଯେଉଁ ମାନେ ଜମିଜମା କାମରେ ତହସିଲ ଓ ସବ୍-ରେଜିଷ୍ଟର ଅଫିସକୁ ଆସିବେ, ସେମାନେ ସୁବିଧାରେ ସମସ୍ତ ସେବା ପାଇପାରିବେ। ଏହାଦ୍ବାରା ଲୋକଙ୍କ ସମସ୍ୟା ଅଫିସରେ ସୁବିଧାରେ ସମାଧାନ ହୋଇପାରିବ, ସେମାନଙ୍କୁ ଆଉ ଉଚ୍ଚ ପଦାଧିକାରୀମାନଙ୍କ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ।
ଆମର ମୂଳଲକ୍ଷ୍ୟ ହେଉଛି ସବୁ କ୍ଷେତ୍ରରେ ଲୋକଙ୍କୁ ସହଜରେ ଓ ସୁବିଧାରେ ବିଭିନ୍ନ ସରକାରୀ ସେବା ଯୋଗାଇଦେବା । ଏହାଦ୍ବାରା ଲୋକଙ୍କ ଇଜ୍ ଅଫ୍ ଲିଭିଙ୍ଗ୍ ଉନ୍ନତି ଆସିପାରିବ। ଏହିଲକ୍ଷ୍ୟ ହାସଲ ପାଇଁ ଆମର ଉଦ୍ୟମ ଜାରିରହିବ ।
ଉକ୍ତ କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, କଟକ ବାରବାଟୀ ବିଧାୟିକା ଇଂ ସୋଫିଆ ଫିର୍ଦୋଷ, କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ଵାଳ, କଟକ ସଦର ବିଧାୟକ ଇଂ ପ୍ରକାଶ ସେଠୀ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ଶିନ୍ଦେ ପ୍ରମୁଖ ଉପସ୍ଥିତ ଥିଲେ।
Powered by Froala Editor