ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ କଢା ହେବ ବାଲି
କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ କଢା ହେବ ବାଲି। ୧୨୨ ବର୍ଷ ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭ ଗୃହରୁ କଢ଼ା ହେବ ବାଲି । ସୋମବାର ପୂର୍ବାହ୍ନରେ ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ଡ଼ଃ ଦିଲୀପ କୁମାର ଖମାରୀ, ଚେନ୍ନାଇର ବିଶେଷଜ୍ଞ ଦଳ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢା ପ୍ରକ୍ରିୟା ଓ ସୂର୍ଯ୍ୟମନ୍ଦିର ସଂରକ୍ଷଣ ନେଇ ଅନୁଧ୍ୟାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍କଲ ସୁପରିଟେଣ୍ଡେଟ ଡ଼ଃ ଡି.ବି ଗଡ଼ନାୟକ, ଡେପୁଟି ସୁପରିଟେଡେଣ୍ଟ ଚିତ୍ତରଞ୍ଜନ ଦାଶ ଓ ଆଇଆଇଟି ଚେନ୍ନାଇର ବିଶେଷଜ୍ଞ ଦଳ ଉପସ୍ଥିତ ଥିଲେ।
୨୦୨୨ ସେପ୍ଟେମ୍ବର ମାସ ୮ତାରିଖରେ ଏଏସଆଇ ଓ ବିଡିଆର ନିର୍ମାଣ ବିଭାଗ ସୂର୍ଯ୍ୟମନ୍ଦିର ଗର୍ଭଗୃହ ଦ୍ୱାର ନିକଟରେ ପୂଜାର୍ଚ୍ଚନା ସହିତ ହୋମଯଜ୍ଞ କରି ଶୁଭ ଦେଇଥିଲେ। ବାଲି ନିଷ୍କାସନ ସରିଲେ ପର୍ଯ୍ୟଟକଙ୍କ ପାଇଁ ଜଗମୋହନ ଦ୍ୱାର ଖୋଲି ଦିଆଯିବ ବୋଲି ଏଏସଆଇ ସୂଚନା ଦେଇଥିଲା। ଏକ ସ୍ୱତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିର ଚୂଡ଼ାରୁ ଗର୍ଭଗୃହରେ ରହିଥିବା ବାଲି ଗୁଡିକୁ ମନ୍ଦିର ପାଦଦେଶକୁ ସୁରକ୍ଷିତ ଉପାୟରେ ପର୍ଯ୍ୟାୟକ୍ରମେ ବାହାର କରାଯିବ। ଏହି କାର୍ଯ୍ୟ ସମୟରେ ମନ୍ଦିର କୀର୍ତ୍ତିରାଜି ପ୍ରତି ବିଶେଷ ଧ୍ୟାନ ଦିଆଯିବ ।
ମନ୍ଦିର ଗର୍ଭଗୃହର ସ୍ଥିତି ଜାଣିବା ପାଇଁ ରୁର୍କି ସ୍ଥିତ ଏକ ସଂସ୍ଥା ପକ୍ଷରୁ ମନ୍ଦିରର ଲେଜର ସ୍କାନିଂ ସହ ଏଣ୍ଡୋସ୍କୋପି କରାଯାଇଛି। ଏଥିସହ ତା ଭିତରକୁ ରୋବୋଟିକ୍ସ କ୍ୟାମେରା ଛାଡି ଫଟୋ ମଧ୍ୟ ଉତ୍ତୋଳନ କରାଯାଇଥିଲା। ଲୁହା ବିମ୍ ସାହାଯ୍ୟରେ ମନ୍ଦିର ଚୂଡ଼ାକୁ ପାହାଚ ନିର୍ମାଣ ସହ ଉତ୍ତର ପଶ୍ଚିମ କୋଣରେ ମନ୍ଦିର ପାଦଦେଶରୁ ଚୂଡ଼ା ପର୍ଯ୍ୟନ୍ତ ଏକ ଲିଫ୍ଟ ଲଗାଯାଇଛି। ଯାହା ମାଧ୍ୟମରେ ଗର୍ଭଗୃହରୁ ବାଲି କଢ଼ାଯାଇ ମନ୍ଦିର ପାଦଦେଶକୁ ଅଣାଯିବ।
Powered by Froala Editor