ଥାଲାପତି ବିଜୟ ଟିଭିକେର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ତାମିଲ ଅଭିନେତା ଏବଂ ତାମିଲଗା ଭେଟ୍ରି କାଝାଗମ (ଟିଭିକେ) ଦଳର ମୁଖ୍ୟ ଥାଲାପତି ବିଜୟଙ୍କୁ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଛି। ମହାବଳୀପୁରମରେ ବୁଧବାର ଅନୁଷ୍ଠିତ ଟିଭିକେର ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି।
କରୁର ରାଲିରେ ଦଳାଚକଟାରେ ପ୍ରାଣ ହରାଇଥିବା ୪୧ ଜଣଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ବୈଠକ ଆରମ୍ଭ ହୋଇଥିଲା। ଏହା ସହିତ ଟିଭିକେ କାର୍ଯ୍ୟକ୍ରମ ସମୟରେ ବିଜୟ ଏବଂ ଜନସାଧାରଣଙ୍କ ପାଇଁ ପର୍ଯ୍ୟାପ୍ତ ପୁଲିସ ସୁରକ୍ଷା ଦାବି କରାଯାଇଛି । ବିଜୟ ବୈଠକରେ କହିଛନ୍ତି ଯେ, ବର୍ତ୍ତମାନର ରାଜନୈତିକ ପାଣିପାଗ ଦଳ ସପକ୍ଷରେ ରହିଛି । ତେଣୁ ଆଗାମୀ ନିର୍ବାଚନ ସମ୍ପର୍କରେ ରଣନୈତିକ ନିଷ୍ପତ୍ତି ସମୟାନୁସାରେ ନିଆଯିବ।
ବୈଠକରେ ମୋଟ ୧୨ଟି ପ୍ରସ୍ତାବ ଗୃହୀତ ହୋଇଛି । ତାଙ୍କୁ ମେଣ୍ଟ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ଅଧିକାର ମଧ୍ୟ ଦିଆଯାଇଛି। ଟିଭିକେ ପୂର୍ବରୁ ଘୋଷଣା କରିସାରିଛି ଯେ, ଦଳ ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବ।
ବିଜୟ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ରାଜନୈତିକ ଲାଭ ପାଇଁ ଏକ ନୂତନ ଖେଳ ଆରମ୍ଭ କରିଛନ୍ତି। ଯଦି ସେ ତାଙ୍କ ନିଜ ସରକାର ଦ୍ୱାରା କରାଯାଇଥିବା ତଦନ୍ତକୁ ସନ୍ଦେହ କରୁଛନ୍ତି, ତେବେ ଏହାର ଅର୍ଥ ସରକାରଙ୍କ ଉପରେ ଆଉ କୌଣସି ବିଶ୍ୱାସ ନାହିଁ।
Powered by Froala Editor