‘H Files’ରେ ରହସ୍ୟମୟୀ ଝିଅର ଫଟୋ ଦେଖାଇଲେ ରାହୁଲ
ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ତାଙ୍କ ଭୋଟ ଚୋରି ଅଭିଯୋଗରେ ବୁଧବାର ସାମ୍ବାଦିକ ସମ୍ମିଳନୀରେ ‘ଏଚ୍-ଫାଇଲସ୍’ ନାମରେ ହାଇଡ୍ରୋଜନ ବୋମା ଫୁଟାଇଛନ୍ତି ଯାହା ନା କେବଳ ହରିୟାଣା ରାଜନୀତିକୁ ଦୋହଲାଇ ଦେଇଛି ବରଂ ବିହାର ବିଧାନସଭା ନିର୍ବାଚନକୁ ମଧ୍ୟ ଉଷ୍ମ କରିଦେଇଛି। ତାଙ୍କ ପାଖରେ ଥିବା ‘H Files’ କୁହାଯାଉଥିବା କଥାକୁ ଉଦ୍ଧୃତ କରି ସେ ଏକ ରହସ୍ୟମୟୀ ଝିଅର ଫଟୋ ଦେଖାଇଲେ। ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ଏହି ମହିଳା ହରିୟାଣାର ବିଭିନ୍ନ ବୁଥରେ ବିଭିନ୍ନ ନାମରେ ଅନେକ ଥର ଭୋଟ ଦେଇଥିଲେ। ମହିଳାଙ୍କ ଫଟୋ ସୀମା, ସରସ୍ବତୀ ଏବଂ ବିମଳା ଭଳି ବିଭିନ୍ନ ନାମରେ ତାଲିକାଭୁକ୍ତ ଥିଲା। ରାହୁଲ କହିଥିଲେ ଯେ ତାଙ୍କ ଦଳ ୧୦ ଟି ଭିନ୍ନ ଭିନ୍ନ ବୁଥରେ ସମାନ ଫଟୋ ଏବଂ ନାମ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ।
ରାହୁଲ ଦାବି କରିଛନ୍ତିଯେ ହରିୟାଣା ବିଧାନସଭା ନିର୍ବାଚନରେ ପାଖାପାଖି ୨୫ଲକ୍ଷ ମିଥ୍ୟା ଭୋଟ ଦିଆଯାଇଥିଲା, ଯେଉଁଥିରେ ଜଣେ ବ୍ରାଜିଲିୟ ମଡେଲଙ୍କ ଛବି ମଧ୍ୟ ଭୋଟର ଲିଷ୍ଟରେ ଥିବା ଦେଖାଯାଇଛି।
ସେପଟେ ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ନଭେମ୍ବର ୪ ତାରିଖରେ ଶେଷ ହୋଇଥିବା ବେଳେ ନଭେମ୍ବର ୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ବିହାର ବିଧାନସଭା ନିର୍ବାଚନ ଫଳାଫଳ ନଭେମ୍ବର ୧୪ ତାରିଖରେ ଘୋଷଣା ହେବ। ତେବେ ଏହା ପୂର୍ବରୁ ରାହୁଲ ଗାନ୍ଧି ବୁଧବାର ଦିଲ୍ଲୀ ଇନ୍ଦିରା ଭବନରେ ସାମ୍ବାଦିକ ସମ୍ମିଳନୀ କରି ‘ଏଚ-ଫାଇଲସ୍’ ନାମରେ ଖୁଲାସା କରିଛନ୍ତି।
ସେ କହିଛନ୍ତି ହରିୟାଣାରେ ମୋଟ ୨ କୋଟି ଭୋଟର ଅଛନ୍ତି। ଏଥିରୁ ୧୨.୫% ମିଛ ଭୋଟ ବୋଲି ଜଣାପଡିଛି। ନିର୍ବାଚନ ଫଳାଫଳ କଂଗ୍ରେସ ପ୍ରାର୍ଥୀମାନଙ୍କ ଅଭିଜ୍ଞତା ଓ ସବୁ ଏଗଜିଟ୍ ପୋଲର ବିପରୀତରେ ଯାଇଥିଲା। ସବୁ ଏଗଜିଟ୍ ପୋଲ କଂଗ୍ରେସ ଜିତୁଥିବା କହୁଥିଲା।
ଏହି ଅବସରରେ ରାହୁଲ ଗାନ୍ଧି ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀଙ୍କ ଏକ ଭିଡିଓ ମଧ୍ୟ ଦେଇଛନ୍ତି। ଯେଉଁଥିରେ ନିର୍ବାଚନ ଫଳାଫଳ ପୂର୍ବରୁ ସୈନୀ କହିଛନ୍ତି ଯେ ‘ବ୍ୟବସ୍ଥା କରିଦିଆଯାଇଛି’। ଏହି ଭିଡିଓକୁ ଆଧାର କରି ରାହୁଲ ପ୍ରଶ୍ନ କରିଛନ୍ତି ‘ଏହି ବ୍ୟବସ୍ଥା’ଟି କ’ଣ ଓ ନିର୍ବାଚନ ପୂର୍ବରୁ ବିଜେପି ଏତେ ନିଶ୍ଚିତ କିପରି ଥିଲା ଯେ ସେ ନିର୍ବାଚନକୁ ଜିତିଯିବ?
Powered by Froala Editor