ଖୋଲିଗଲା ୧୧ ବର୍ଷୀୟ ଆରବଙ୍କ ଭାଗ୍ୟ, ଜିତିଲେ ୧ କୋଟି
କେତେବେଳେ କାହାର ଭାଗ୍ୟ ଖୋଲିବ ତାହା କେବଳ ଭଗବାନଙ୍କୁ ଜଣା । ତେବେ ପଞ୍ଜାବର ଲୁଧିଆନାରେ ୧୧ ବର୍ଷୀୟ ଜଣେ ବାଳକର ଭାଗ୍ୟ ଏମିତି ଖୋଲିଛି ଯେ, ସେ କୋଟିପତି ହୋଇଛନ୍ତି । ହଠାତ୍ ଭାଗ୍ୟ ବଦଳି ଯାଇଥିବାରୁ ତାଙ୍କ ଘରେ ବ୍ୟାଣ୍ଡ୍ ବାଜା ବାଜୁଛି । ଆରବ ନାମକ ଏହି ବାଳକ ହେଉଛନ୍ତି ମୂଳତଃ ହୋଶିୟାରପୁର ବାସିନ୍ଦା । ଆରବ ଏବେ ନିଜ ମାମୁଁଙ୍କ ସହ ଲୁଧିଆନାର ହେବୋୱାଲରେ ରହୁଛନ୍ତି ।
ଗତ ଶୁକ୍ରବାର ସନ୍ଧ୍ୟାରେ ଆରବ ବଜାରକୁ ଯାଇଥିଲେ । ସେଠାରେ ଲଟେରୀ ଦୋକାନରେ ଭିଡ଼ ଦେଖି ସେ ମାମୁଙ୍କୁ ଟିକଟ କିଣିବାକୁ କହିଲେ । ମାମୁ କହିଲେ, ଏ ଖେଳ ଭଲ ନୁହେଁ । କିନ୍ତୁ ଆରବ ଜିଦ୍ କରିବାରୁ ମାମୁ ଗାନ୍ଧୀ ବ୍ରଦର୍ସ ଦୋକାନରୁ ଆରବଙ୍କ ନାଁରେ ୫ଟି ଟିକଟ କିଣିଲେ । ତାହା ଦୋକାନର ଶେଷ ଟିକଟ ଥିଲା ।
ଶୁକ୍ରବାର ରାତି ୮ଟାରେ ୟୁଟ୍ୟୁବ୍ରେ ଲଟେରି ଡ୍ର’ ପରେ ବିଜେତାଙ୍କ ଟିକଟ ନମ୍ବର ଘୋଷଣା ହେଲା । ମାମୁ କିଣିଥିବା ଟିକଟ ନମ୍ବର ମିଳାଇଲେ । ଆରବଙ୍କ ନାଁରେ କିଣିଥିବା ଟିକଟରେ ୧ କୋଟିର ପୁରସ୍କାର ରାଶି ଉଠିଥିବା ଜଣାପଡ଼ିଲା । ଏହା ଶୁଣି ପରିବାରରେ ଖୁସିର ଲହରି ଖେଳିଗଲା ।
ସୂଚନା ଅନୁଯାୟୀ, ଞ୍ଜାବରେ ଲଟେରି ଖେଳିବା ବୈଧ । ଦୀପାବଳି ବମ୍ପର ଲଟେରିରେ ମୋଟ୍ ୩୬ କୋଟି ୧୪ ଲକ୍ଷ ୭୮ ହଜାର ଟଙ୍କାର ପୁରସ୍କାର ରାଶି ବିତରଣ ହୋଇଥିଲା । ଆରବ ମଧ୍ୟ କୋଟିପତି ହେବା ପରେ ତାଙ୍କ ପରିବାର ଚାରିଆଡେ ମିଠା ବାଣ୍ଟିଥିଲେ ।
Powered by Froala Editor