ଝାଡ଼ୁଦାର ଚାକିରି ଆଳରେ କୋଟି କୋଟି ଟଙ୍କା ଠକେଇ ମାମଲା: ୫ ମହିଳା ସମେତ ୧୮ ଗିରଫ
ସମ୍ବଲପୁର: ସମ୍ବଲପୁର ସମେତ ୪ଟି ଜିଲାରେ ଝାଡ଼ୁଦାର ଚାକିରି ଆଳରେ ହୋଇଥିବା କୋଟି କୋଟି ଟଙ୍କାର ଠକେଇ ମାମଲାରେ ସମ୍ବଲପୁର ପୁଲିସ ବୁଧବାର ୫ଜଣ ମହିଳା ସମେତ ୧୮ ଜଣଙ୍କୁ ଗିରଫ କରିଛି। ସମସ୍ତେ ସମ୍ବଲପୁର ସହର ତଥା ଆଖପାଖର ଅଧିବାସୀ। ସେମାନଙ୍କଠାରୁ ନଗଦ ୧୩ ଲକ୍ଷ ଟଙ୍କା ସହ ୮ଟି ମୋବାଇଲ ଫୋନ୍ ଓ ଅନେକ ଲୋକଙ୍କ ଆଧାର କାର୍ଡ, ବ୍ୟାଙ୍କ ପାସ୍ବୁକ୍, ଫଟୋ ଆଦି ଜବତ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ସମ୍ରାଟ ରାୟ ଓରଫ ରାହୁଲକୁ ୨ ଦିନିଆ ରିମାଣ୍ଡରେ ଆଣି ପଚରାଉଚୁରା କରାଯିବା ପରେ ପୁଲିସକୁ ଏହି ସଫଳତା ମିଳିଥିବା ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ସାମ୍ବାଦିକମାନଙ୍କୁ କହିଛନ୍ତି।
ଏହି ମାମଲାରେ ପୂର୍ବରୁ ସମ୍ବଲପୁରୀ ଜିଲାର ୩ ଜଣ ଓ ବରଗଡ଼ ଜିଲାରୁ ୮ ଜଣଙ୍କୁ ମିଶାଇ ମୋଟ ୧୧ ଜଣ ଗିରଫ ହୋଇଥିଲେ। ଏହି ମାମଲାରେ ସମ୍ରାଟ ରାୟ (ରାହୁଲ) ହିଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ। ସେ ବିଭିନ୍ନ ଅଞ୍ଚଳରେ ସୁପରଭାଇଜର ନିଯୁକ୍ତ ସହ ସେମାନଙ୍କ ଜରିଆରେ ଲୋକଙ୍କୁ ପ୍ରଲୋଭିତ କରି ଝାଡ଼ୁଦାର ନିଯୁକ୍ତି ନାମରେ ଟଙ୍କା ଆଦାୟ କରୁଥିଲା। ଉକ୍ତ ସୁପରଭାଇଜରମାନେ ସେମାନଙ୍କ କମିସନ ରଖିବା ପରେ ବାକି ଟଙ୍କା ରାହୁଲକୁ ଦେଉଥିଲେ ବୋଲି ପୁଲିସ ଅଧୀକ୍ଷକ କହିଛନ୍ତି। ତାଙ୍କ କହିବାନୁସାରେ, ରାହୁଲକୁ ଜେରା ସମୟରେ ପଦ୍ମା ତାଣ୍ଡି ଓ ତାଙ୍କର ଜଣେ ପ୍ରମୁଖ ସହଯୋଗୀ ଭାଗ୍ୟଶ୍ରୀ ମହାନନ୍ଦ ସମ୍ପର୍କରେ ସୂଚନା ମିଳିଥିଲା। ରାହୁଲ ପୁଲିସକୁ ଭୁଆଁ ବୁଲାଇବା ନିମନ୍ତେ ଭୁବନେଶ୍ୱରର ସୌମ୍ୟ ସାହୁଙ୍କ ନାମ ନେଇଥିଲା। ସେ ତାର ବାପାଙ୍କ ଫୋନ ନମ୍ବରକୁ ପୁଲିସକୁ ସୌମ୍ୟ ସାହୁର ବୋଲି ଦର୍ଶାଇଥିଲା। ଏହା ଦୁର୍ନୀତି ଏକ ‘ଚେନ୍ ସିଷ୍ଟମ୍’ ଭଳି କାମ କରୁଥିଲା। ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ସହିତ ତାର ପ୍ରମୁଖ ସହଯୋଗୀଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି। ମାମଲାର ତଦନ୍ତ ଜାରି ରହିଛି ଏବଂ ଆଗକୁ ଆହୁରି ଗିରଫ ହେବାର ସମ୍ଭାବନା ରହିଥିବା ଅଧୀକ୍ଷକ କହିଛନ୍ତି।
Powered by Froala Editor