ସୁରେଶ ଗୋପୀ କହିଲେ, ରୋଜଗାର ବହୁତ ହ୍ରାସ ପାଇଛି ପଦ ଛାଡିବି

ବିଜେପି ନେତା ସୁରେଶ ଗୋପୀ ନିଜ ପଦ ଛାଡିବାକୁ ପ୍ରସ୍ତାବ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ଏବେ ପୁଣି ଅଭିନୟ ଜଗତକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। କିଛି ବର୍ଷ ପୂର୍ବେ ସେ ଅଭିନୟ ଛାଡ଼ି ରାଜନୀତିରେ ପାଦ ଦେଇଥିଲେ। ହେଲେ ଏବେ ସେ ପୁଣି ଅଭିନୟ କରିବାକୁ ଚାହୁଁଥିବା କହିଛନ୍ତି।
କେରଳରେ କୋଲାମରେ ଜନ୍ମ ଗ୍ରହଣ କରିଥିବା ଗୋପୀ ୮୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଅଭିନୟ ପାଇଁ ସେ ଜାତୀୟ ପୁରସ୍କାର ପାଇଛନ୍ତି। ୨୦୧୬ରେ ବିଜେପିରେ ଯୋଗ ଦେଇଥିଲେ। ୨୦୨୪ ଲୋକସଭା ନିର୍ବାଚନରେ ସେ କେରଳର ତ୍ରିଶୂର ଆସନରୁ ବିଜୟୀ ହୋଇଥିଲେ। ସେ ପ୍ରଥମ ସଦସ୍ୟ ଭାବେ ବିଜେପି ଟିକଟରେ କେରଳରୁ ଲୋକସଭା ନିର୍ବାଚନ ବିଜୟୀ ହୋଇଛନ୍ତି। ଏହି ବିଜୟ ପାଇଁ ତାଙ୍କୁ ସରକାରରେ ମନ୍ତ୍ରୀ ପଦ ଦିଆଯାଇଛି।
ସୁରେଶ ଗୋପୀ ଏବେ କେନ୍ଦ୍ର ସରକାର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ସଂସ୍କୃତି ବିଭାଗର ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ମନ୍ତ୍ରୀ ପଦ ଛାଡିବା ପରେ ଏହି ସ୍ଥାନରେ କେରଳରୁ ମନୋନୀତ ରାଜ୍ୟସଭା ସଦସ୍ୟ ସି ସଦାନନ୍ଦ ମାଷ୍ଟରଙ୍କୁ ମନ୍ତ୍ରୀ କରିବା ଲାଗି ସୁରେଶ ପ୍ରସ୍ତାବ ଦେଇଛନ୍ତି।
ଗୋପୀ କହିଛନ୍ତି ଯେ ଫିଲ୍ମ କ୍ୟାରିୟର ଛାଡି ମନ୍ତ୍ରୀ ହେବାକୁ କେବେହେଲେ ଆଗ୍ରହ ପ୍ରକାଶ କରି ନଥିଲି। ରାଜନୀତିକୁ ଆସିବା ପରେ ମୋର ରୋଜଗାର ବହୁତ ହ୍ରାସ ପାଇଛି। ତେଣୁ ଏବେ ମନ୍ତ୍ରୀ ପଦ ଛାଡି ସିନେମାରେ ସମସ୍ତ ସମୟ ଉପଯୋଗ କରିବାକୁ ଆଗ୍ରହୀ।
Powered by Froala Editor