ପୁଣି ରାଗରେ ତମତମ ହେଲେ ଜୟା, ଏମିତି କହିଲେ କଙ୍ଗନା
ପୁଣି ଥରେ ରାଗି ସ୍ୱଭାବକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି ସାଂସଦ-ଅଭିନେତ୍ରୀ ଜୟା ବଚ୍ଚନ । ମଙ୍ଗଳବାର ନୂଆଦିଲ୍ଲୀର ସମ୍ବିଧାନ କ୍ଲବ୍ରେ ଜଣେ ବ୍ୟକ୍ତି ଜୟାଙ୍କ ସହ ସେଲ୍ଫି ନେବାକୁ ଚେଷ୍ଟା କରୁଥିଲେ । ଏହା ଦେଖି ଜୟା ତାଙ୍କୁ ଚଢ଼ା ଗଳାରେ ଗାଳିକଲେ । ଜୟାଙ୍କ ବ୍ୟବହାର ଦେଖି ସେଠାରେ ଉପସ୍ଥିତ ଲୋକେ ଚକିତ ହୋଇଗଲେ । ସୋସିଆଲ ମିଡିଆରେ ଏହି ଘଟଣାର ଦୃଶ୍ୟ ଭାଇରାଲ ହେଉଛି ।
ଭାଇରାଲ ଭିଡିଓରେ ଜୟା ସମାଜବାଦୀ ପାର୍ଟିର ଟୋପି ପିନ୍ଧିଛନ୍ତି । କ୍ଲବ୍ରେ ସେ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ପାଖକୁ ଯାଇ ସେଲ୍ଫି ନେବାକୁ ଚେଷ୍ଟା କଲେ । ଏତିକିରେ ଜୟା ରାଗି ଯାଇ ତାଙ୍କୁ ଧକ୍କା ଦେଇଥିଲେ । ଭିଡିଓରେ ତାଙ୍କର ସାଥୀ ସାଂସଦ ଓ ଶିବସେନା (ୟୁଟିବି) ନେତା ପ୍ରିୟଙ୍କା ଚତୁର୍ବେଦୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।
ଏବେ ଏ ମାମଲାରେ ପ୍ରତିକ୍ରିୟା ଦେଇଛନ୍ତି ହିମାଚଳପ୍ରଦେଶର ମଣ୍ଡି ସାଂସଦ କଙ୍ଗନା ରଣାୱତ୍ । ଜୟାଙ୍କର ଏଭଳି ବ୍ୟବହାରକୁ ସେ ଲଜ୍ଜାଜନକ ବୋଲି କହିଛନ୍ତି । ଇନ୍ଷ୍ଟା ଷ୍ଟୋରୀରେ ଭିଡିଓ ଶେୟାର କରି ସେ କ୍ୟାପ୍ସନ ଲେଖିଛନ୍ତି ‘ସବୁଠୁ ଖରାପ ଓ ସୁବିଧାବାଦୀ ମହିଳା । ଲୋକେ ତାଙ୍କ ନଖରାମି ଓ ଖରାପ ବ୍ୟବହାରକୁ ସହ୍ୟ କରୁଛନ୍ତି, କାରଣ ସେ ଅମିତାଭ ବଚ୍ଚନଙ୍କ ପତ୍ନୀ ।’
Powered by Froala Editor