ଶାଶୁକୁ ହତ୍ୟା କଲା ଡାକ୍ତର ଜ୍ୱାଇଁ

ବେଙ୍ଗାଲୁରୁ : କର୍ଣ୍ଣାଟକର ତୁମକୁରୁ ଜିଲାର କୋରଟଗେରେରୁ ହଇଚଇ ସୃଷ୍ଟି କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ବିଷୟରେ ଜାଣି ଯେ କେହି ମଧ୍ୟ ସ୍ତବ୍ଧ ହୋଇ ଯାଇଛନ୍ତି । ଏଠାରେ ଜଣେ ଦାନ୍ତ ଡାକ୍ତର ନିଜର ୨ ସାଥୀଙ୍କ ସହ ମିଶି ନିଜ ଶାଶୁକୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଏହାପରେ ମୃତଦେହକୁ ୧୯ ଖଣ୍ଡ କରି ଭିନ୍ନ ଭିନ୍ନ ସ୍ଥାନରେ ପକାଇଥିଲା । ପୁଲିସ ଏହି ମାମଲାରେ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି ।
ପୁଲିସ ସୂଚନାନୁସାରେ, ଡାକ୍ତର ଜ୍ୱାଇଁ ଜଣକ ତାଙ୍କ ଜୀବନରେ ଶାଶୁଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଟ ସହ ଚିନ୍ତିତ ଥିଲେ । ଏହାର ପ୍ରଭାବ ତାଙ୍କ ଦାମ୍ପତ୍ୟ ଜୀବନରେ ମଧ୍ୟ ପଡୁଥିବା ସେ କହିଛନ୍ତି । ୭ ଅଗଷ୍ଟରେ କୋରଟଗେରେ ପୁଲିସ ଥାନାର ସୀମାରେ ଏହି ଘଟଣା ସାମ୍ନାକୁ ଆସିଥିବା ବେଳେ ମହିଳାଙ୍କ ଶରୀର ଖଣ୍ଡ ଖଣ୍ଡ ଅଂଶ ଏଣେତେଣେ ପଡିଥିବା ଦେଖାଯାଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଅଂଶକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ଏହାପରେ ପୁଲିସ ଜାଣିବାକୁ ପାଇଥିଲା ଯେ, ୩ ଅଗଷ୍ଟରୁ ଜଣେ ମହିଳା ନିଖୋଜ ଅଛନ୍ତି । ଏହାପରେ ମୃତକଙ୍କ ପରିଚୟ ଲକ୍ଷ୍ମୀଦେବୀ ବୋଲି ଜଣାପଡିଥିଲା । ପରେ ପୁଲିସ ଜାଣିବାକୁ ପାଇଥିଲା ଯେ, ଲକ୍ଷ୍ମୀଦେବୀ ଶେଷ ଥର ପାଇଁ ଏକ ଧଳା କାର୍ରେ ଦେଖାଯାଇଥିଲେ । ତଦନ୍ତ ପରେ ଜଣାପଡିଥିଲା ଏହି କାର୍ଟି ଲକ୍ଷ୍ମୀଦେବୀଙ୍କ ଜ୍ୱାଇଁ ରାମଚନ୍ଦ୍ରାଙ୍କର ବୋଲି । ପରେ ରାମଚନ୍ଦ୍ରା ଓ ତାଙ୍କର ୨ ସାଥୀ ସତୀଶ ଓ କିରଣକୁ ଗିରଫ କରାଯାଇଥିଲା । ଲକ୍ଷ୍ମୀଦେବୀଙ୍କୁ ୩ ଅଗଷ୍ଟରେ କାର୍ରେ ବସାଇ ପ୍ରଥମେ ତଣ୍ଟି ଚିପି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହାପରେ ରାମଚନ୍ଦ୍ରା ଓ ତାଙ୍କ ୨ ସାଥୀ ଶାଶୁଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି ଏଣେତେଣେ ଫିଙ୍ଗି ଥିଲେ । ପୁଲିସ ୩ ଜଣଙ୍କୁ ଗିରଫ କରି ୧୧ ଅଗଷ୍ଟରେ ଜେଲ୍ ପଠାଇବା ସହ ୧୨ ଅଗଷ୍ଟରେ କୋର୍ଟକୁ ପଠାଯାଇଛି ।
Powered by Froala Editor