ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ କଡା ତାଗିଦ୍: ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ନ ସାରିଲେ ସମ୍ପୃକ୍ତ ଅଧିକାରୀଙ୍କ ଦରମା ବନ୍ଦ
ଭୁବନେଶ୍ବର: ଗତ ଦୁଇଦିନ ତଳେ ରାଜ୍ୟରେ ନିର୍ମାଣାଧୀନ ଥିବା ମେଗା ପାନୀୟଜଳ ଯୋଗାଣ ଭଳି ପ୍ରକଳ୍ପଗୁଡିକ ସମୟସୀମା ମଧ୍ୟରେ ସାରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ କଡା ତାଗିଦ୍ କରିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ନ ସାରିଲେ ସମ୍ପୃକ୍ତ ଅଧିକାରୀଙ୍କ ଦରମା ବନ୍ଦ ହେବ ବୋଲି କଡା ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ ପରେ ରବିବାର ଅପରାହ୍ନରେ ଜଳ ଜୀବନ ମିଶନର ରାଜ୍ୟ ବୈଷୟିକ ଟିମ୍ର ମୁଖ୍ୟଯନ୍ତ୍ରୀ ନାରାୟଣ ଗାନ୍ଧୀ ବୌଦ୍ଧ ଜିଲ୍ଲା ହରଭଙ୍ଗାଠାରେ ନିର୍ମାଣାଧୀନ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଛନ୍ତି। ପ୍ରକଳ୍ପ କାର୍ଯ୍ୟର ହରଭଙ୍ଗାଠାରେ ନିର୍ମାଣାଧୀନ ଥିବା ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ, ପାଣିଘରାଠାରେ ନିର୍ମାଣାଧୀନ ଇନଟେକ କୂଅ ସହିତ ଅନ୍ୟାନ୍ୟ ଓଭରହେଡ୍ ଟ୍ୟାଙ୍କ ସାଙ୍ଗକୁ ପାଇପ ବିଛା କାର୍ଯ୍ୟ ଆଦି ପରିଦର୍ଶନ କରିବା ସହିତ ନିର୍ମାଣର ଅଗ୍ରଗତି ସମୀକ୍ଷା କରିଛନ୍ତି।ଅନ୍ୟପଟେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁଁ ପାଖାପାଖି ୪ବର୍ଷ ହେଲା ପ୍ରକଳ୍ପ ନିର୍ମାଣ ସରିପାରୁନାହିଁ। ଏହାର ନିର୍ମାଣ ଦାୟିତ୍ୱରେ ଥିବା ଏଲଆଣ୍ଡଟି ଭଳି ନାମୀଦାମୀ ଠିକାସଂସ୍ଥା ମିଆଦି ପରେ ମିଆଦି ବୃଦ୍ଧି କରି ସମୟ ଗଡ଼େଇ ଚାଲିଛି। ପ୍ରକାଶ ଥାଉ କି, ହରଭଙ୍ଗାଠାରେ କେନ୍ଦ୍ରସରକାରଙ୍କ ଜଳ ଜୀବନ ମିଶନ ଯୋଜନାରେ ଗତ ୧୫ ନଭେମ୍ବର ୨୦୨୧ରୁ ୧୯୫କୋଟି ୭୦ଲକ୍ଷ ଟଙ୍କା ବ୍ୟୟବରାଦରେ ବୃହତ୍ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ନିର୍ମାଣାଧୀନ ରହିଛି। ପ୍ରକଳ୍ପ ନିର୍ମାଣ ମିଆଦି ୨ବର୍ଷ ରହିଥିଲା। ଗତ ନଭେମ୍ବରମାସ ୨୦୨୩ ପ୍ରକଳ୍ପ ନିର୍ମାଣ ମିଆଦି ସରିଥିଲା। ୨ବର୍ଷ ମିଆଦି ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ୬୦ ପ୍ରତିଶତରୁ କମ୍ ସରିଥିଲା। ଯାହାଫଳରେ ପ୍ରକଳ୍ପ ନିର୍ମାଣ ସମୟସୀମାକୁ ଗତବର୍ଷ ନଭେମ୍ବର ମାସ ପର୍ଯ୍ୟନ୍ତ ଆହୁରି ଏକ ବର୍ଷକୁ ବୃଦ୍ଧି କରାଯାଇଥିଲା। ଗତ ନଭେମ୍ବର ୨୦୨୪ସୁଦ୍ଧା ପ୍ରଥମ ମିଆଦି ସରିବାପରେ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି। ଏଯାବତ୍ ୭୦ ପ୍ରତିଶତ କାର୍ଯ୍ୟ ସରିଥିବାବେଳେ ଆହୁରି ୩୦ ପ୍ରତିଶତ କାମ ବାକି ରହିଛି।
Powered by Froala Editor