ବଡ଼ ଅଘଟଣ: ଶରଧାବାଲିରେ ରଥ ନିକଟରେ ଦଳାଚକଟା, ୩ ଶ୍ରଦ୍ଧାଳୁ ମୃତ
ପୁରୀ: ପୁରୀ ରଥଯାତ୍ରାରେ ବଡ଼ ଅଘଟଣ ଘଟିଛି। ଶନିବାର ବିଳମ୍ବିତ ରାତିରେ ଶରଧାବାଲିରେ ରଥ ନିକଟରେ ଦଳାଚକଟା ଘଟି ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ଏଥିରେ ୪୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିବା ସୂଚନା ମିଳିଛି। ମୃତକମାନେ ହେଲେ ବୋଲଗଡ଼ ଅଞ୍ଚଳର ବାସନ୍ତୀ ସାହୁ(୩୬), ନୟାପଲ୍ଲୀ ଅଞ୍ଚଳର ପ୍ରେମକାନ୍ତ ମହାନ୍ତି(୭୮) ଏବଂ ବାଲିପାଟଣା ଅଠାନ୍ତର ଅଞ୍ଚଳର ପ୍ରଭାତୀ ଦାସ। ଆହତମାନଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି।
ଶରଧାବାଲିରେ ୩ ରଥ ଲାଗିବା ପରେ ଠାକୁରଙ୍କୁ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। ରାତି ସମୟରେ ଭିଡ଼ ବଢ଼ି ଚାଲିଥିଲା। ତେବେ ରାତି ପ୍ରାୟ ୧୨ଟା ୧୫ ବେଳକୁ ଠାକୁରଙ୍କ ପହୁଡ଼ ପଡ଼ିଯାଇଥିଲା, ଯାହା ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଶୀଘ୍ର ହୋଇଥିଲା। ଯାହାଫଳରେ ଦର୍ଶନ ପାଇଁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି କାରଣରୁ ଠେଲାପେଲା ହୋଇ ଦଳାଚକଟା ଘଟିଥିବା ଜଣାପଡ଼ିଛି।
Powered by Froala Editor