ସିଡି ରେଲିଂରେ ବେକ ପଶି ନାବାଳିକା ମୃତ
ରାଇରଙ୍ଗପୁର: ଦିନ ପ୍ରାୟ ସାଢେ଼ ୧୨ଟାରେ ଘର ଅଗଣାରେ ଖେଳୁଥିଲେ ୮ ବର୍ଷର କୁନି ଝିଅ ଦେବକୀ । ଖେଳ ମନସ୍କ ହୋଇଥିବା ବେଳେ ହଠାତ ତାଙ୍କର ମୁଣ୍ଡ ଘର ସିଡ଼ିର ରେଲିଂରେ ପଶିଯାଇଥିଲା । ଅଣନିଃଶ୍ୱାସୀ ହୋଇ ତାଙ୍କର ମୃତୁ୍ୟ ହୋଇଥିଲା । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଆଦର୍ଶ ଥାନା ଅନ୍ତର୍ଗତ ଦୁବୁଲାବେଡା ଗ୍ରାମର ବିକାଶନଗର ସାହିରେ । ବିକାଶ ନଗର ବାସିନ୍ଦା ବିଚିତ୍ର ମହାନ୍ତଙ୍କ ସାନ ଝିଅ ଦେବୀକା ରାଣୀ (୮) ଅଗଣାରେ ଖେଳୁଥିଲେ । ଖେଳି ଖେଳି ସେ ସିଡ଼ି ଉପରକୁ ଚଢ଼ିଥିଲେ । ହଠାତ ତାଙ୍କର ବେକ ସିଡି ରେଲିଂରେ ପଶିଯାଇଥିଲା । ଏହି ସମୟରେ ଘର ଲୋକ ତଳ ଘରେ ଟିଭି ଦେଖୁଥିଲେ । କିଛି ସମୟ ପରେ ଝିଅକୁ ନ ପାଇବାକୁ ଘରର ସବୁଆଡେ ଖୋଜାଖୋଜି କରିଥିଲେ । ସିଡି ରେଲିଂରେ ଦେବକୀଙ୍କ ବେକ ପଶି ରହିଥିଲା ଓ ସେ ସେଠାରେ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ । ଘର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।