ମଙ୍କିପକ୍ସକୁ ନେଇ ସ୍ୱାସ୍ଥ୍ୟବିଭାଗ ସମ୍ପୂର୍ଣ୍ଣ ସଜାଗ: ବିଜୟ ମହାପାତ୍ର
ଭୁବନେଶ୍ୱର: କରୋନା ପରେ ଏବେ ଦେଶରେ ନୂଆ ଭାଇରସକୁ ନେଇ ଆତଙ୍କ ଖେଳିଯାଇଛି । ତାହା ହେଉଛି ମଙ୍କିପକ୍ସ । ତେବେ ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିଦେ୍ର୍ଧଶକ ବିଜୟ ମହାପାତ୍ର କହିଛନ୍ତି ଯେ ସ୍ୱାସ୍ଥ୍ୟବିଭାଗ ସମ୍ପୂର୍ଣ୍ଣ ସଜାଗ ରହିଛି । ସବୁ ପ୍ରବେଶ ପଥକୁ ଆଲର୍ଟ କରାଯାଇଛି । ପ୍ରଭାବିତ ଅଞ୍ଚଳରୁ ଆସୁଥିବା ଲୋକଙ୍କୁ ଆଇସୋଲେସନରେ ରଖାଯାଉଛି । ଦେଶରେ ଏ ପର୍ଯ୍ୟନ୍ତ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇନାହାନ୍ତି । ଏଥିସହ ମଙ୍କିପକ୍ସକୁ ନେଇ ଭୟଭୀତ ନହେବାକୁ ମଧ୍ୟ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି ।
ପ୍ରକାଶ ଯେ ଦେଶରେ ଜଣେ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ବ୍ୟକ୍ତି ଜଣଙ୍କ ମଙ୍କିପକ୍ସ ସଂକ୍ରମିତ ଅଞ୍ଚଳରୁ ଭାରତ ଗସ୍ତରେ ଆସିଥିଲେ। ତାଙ୍କୁ ଏବେ ଡାକ୍ତରଖାନାରେ ସଙ୍ଗରୋଧରେ ରଖାଯାଇଛି। ସନ୍ଦିଗ୍ଧ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କୁ ଚିହ୍ନଟ କରିବା ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ଚାଲିଛି। ଏହି ସନ୍ଦେହଜନକ ସଂକ୍ରମଣକୁ ନେଇ କୌଣସି ପ୍ରକାର ଆତଙ୍କିତ ନହେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜନସାଧାରଣଙ୍କୁ ପରାମର୍ଶ ଦେଇଛି। ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି)ର ମାର୍ଗଦର୍ଶିକା ଅନୁଯାୟୀ ପରିସ୍ଥିତିକୁ ପରିଚାଳନା କରାଯାଉଛି। ମଙ୍କିପକ୍ସ ସଂକ୍ରମଣକୁ ମୁକାବିଲା କରିବା ଲାଗି ଦେଶ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ମନ୍ତ୍ରଣାଳୟ କହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ ୧୧୨ ଦେଶରେ ୯୬ହଜାର ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇସାରିଲେଣି।
Powered by Froala Editor