ଗୁଜରାଟରେ ବିଦ୍ୟୁତ୍ ଆଘାତରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ
ପରିବାର ପାଇଁ ରାଜ୍ୟ ଛାଡିଥିଲ । ଭାବିଥିଲେ ବାହାରେ କାମ କରି ପରିବାରର ଭବିଷ୍ୟତ ଗଢିବେ । ହେଲେ ସବୁ ଅଧାରେ ରହିଗଲା । ରବିବାର ଗୁଜୁରାଟରେ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତକ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାକୁଟୁ ଗାଁର ମିଲୁ ବେହେରା ।
ମିଲୁ ୪ ମାସ ତଳେ ତେନ୍ତୁଳିଆପଲ୍ଲୀର ଜଣେ ଠିକାଦାରଙ୍କ ଜରିଆରେ ଗୁଜୁରାଟକୁ କାମ କରିବା ପାଇଁ ଯାଇଥିଲେ । ସେଠାରେ ଏକ କମ୍ପାନିରେ କାମ କରୁଥିବା ବେଳେ ଠିକାଦାର ନିର୍ଯାତନା ଦେଉଥିବାରୁ ସେ ଫେରି ଆସିବାକୁ ଚାହୁଁଥିଲେ । ଏନେଇ ସେ ପରିବାର ଲୋକଙ୍କୁ ପୂର୍ବରୁ କହିଥିଲେ । କିନ୍ତୁ ଫେରିବା ପୂର୍ବରୁ ରବିବାର ତାଙ୍କ ମୃତ୍ୟୁ ଘଟିଛି ।
କମ୍ପାନିରୁ ରୁମ୍କୁ ଆସିଥିବା ବେଳେ ତାଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଥିବା ଖବର ଗାଁରେ ପହଞ୍ଚିଥିଲା । ଦିନ ୧୧ଟାରେ ମିଲୁଙ୍କ ସହ ପରିବାର ଲୋକେ ମୋବାଇଲ ଫୋନ ଯୋଗେ କଥା ହୋଇଥିଲେ । କିନ୍ତୁ ୧୨ଟାରେ ତାଙ୍କର ମୃତ୍ୟୁ ଖବର ମିଳିଥିଲା । ଯାହାକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ମିଲୁଙ୍କ ଗୋଡ଼ରେ ଆଘାତ ଲାଗିଥିଲେ ମଧ୍ୟ ତାଙ୍କୁ ଗାଁକୁ ଆସିବାକୁ କମ୍ପାନି ସୁଯୋଗ ଦେଉନଥିବା ଭଉଣୀ ଅଭିଯୋଗ କରିଛନ୍ତି । ବିଦ୍ୟୁତ୍ ଆଘାତ ନୁହେଁ ଠିକାଦାର ମିଲୁଙ୍କୁ ପିଟିପିଟି ମାରି ଦେଇଛି ବୋଲି ଭଉଣୀ ଅଭିଯୋଗ କରିଛନ୍ତି । ଏନେଇ ତଦନ୍ତ କରିବାକୁ ଭଉଣୀ ଥାନାର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।
Powered by Froala Editor