‘କେଶର’ ବିକ୍ରି ନାଁରେ ଅଢ଼େଇ କୋଟି ଠକେଇ : କ୍ରାଇମବ୍ରାଞ୍ଚ ହାତରେ ନାଇଜେରୀୟ ଗ୍ୟାଙ୍ଗ୍
ଦାମୀ କେଶର ବିକ୍ରି ବାହାନାରେ ଜଣେ ବ୍ୟବସାୟୀଙ୍କୁ ଲୁଟିଛନ୍ତି ନାଇଜେରୀୟ ଗ୍ୟାଜ୍ । ଭୁବନେଶ୍ୱରର ଜଣେ ବ୍ୟବସାୟୀଙ୍କୁ ସୋସିଆଲ୍ ମିଡିଆରେ ଏହି ନାଇଜେରୀୟ ଠକ ଗ୍ୟାଙ୍ଗ୍ ବିଶ୍ୱବ୍ୟାଙ୍କ୍ର ଅଧିକାରୀ ବୋଲି ପରିଚୟ ଦେଇ ଫସାଇଥିଲେ । ବିଶ୍ୱବ୍ୟାଙ୍କ୍ ଏକ ଯୋଜନା ପାଇଁ ଦାମୀ ‘କେଶର’ ଆବଶ୍ୟକ ହେଉଥିବା କହି ବ୍ୟବସାୟୀଙ୍କୁ ଲୋଭ ଦେଖାଇ ପ୍ରାୟ ୨ କୋଟି ୬୫ ଲକ୍ଷ ଟଙ୍କା ଠକି ନେଇଥିଲେ । ବ୍ୟବସାୟୀ ଜଣକ ଅଭିଯେଗ କରିବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ହୋଇଥିଲା । ବହୁ ଦିନ ପରେ ରବିବାର ଦିଲ୍ଲୀରୁ ଜଣେ ମହିଳା ଓ ଦୁଇ ନାଇଜେରୀୟ ଯୁବକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତ ହେଲେ ଆରତୀ ଗୌତମ, କ୍ରିଷ୍ଟୋଫର ଓ ଜର୍ମାନ୍ । ଏମାନଙ୍କୁ ତଦନ୍ତକାରୀ ଟିମ୍ ତନାଘନା ଜେରା ଚଳାଇଛନ୍ତି ।
ତଥ୍ୟ ଅନୁସାରେ, କ୍ରିଷ୍ଟୋଫର ଓ ଜର୍ମାନ ଦୀର୍ଘ ବର୍ଷ ହେବ ବିନା ଭିସାରେ ଭାରତରେ ଅଛନ୍ତି । ସେମାନେ ଉତ୍ତରପୂର୍ବ ଦିଲ୍ଲୀର ଏକ ପୁରୁଣା ବସ୍ତି ଅଞ୍ଚଳରେ ୩୦ ହଜାର ଟଙ୍କା ଭଡ଼ା ନେଇ ରହୁଥିଲେ । ଦୁହେଁ ଉକ୍ତ ଅଞ୍ଚଳରେ ସାଧାରଣ ଯୁବକ ଭଳି ଚଳୁଥିବା ବେଳେ ବାହାରକୁ ଆସିବା ପରେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଥିଲେ । ଦୁହେଁ ବହୁ ସମୟରେ ୫ ତାରକା ହୋଟେଲ୍ରେ ଖାଉଥିଲେ, ନାଇଟ୍ ପବ୍ରେ ନାଚିବା ଓ ରେଭ୍ ପାର୍ଟିର୍ରେ ସାମିଲ ହେଉଥିଲେ । ଏହି ରେଭ୍ ପାର୍ଟିରେ କିଛି ଯୁବକଙ୍କୁ ନିଜ ଜାଲରେ ଫସାଉଥିଲେ । ନିଶାଦ୍ରବ୍ୟ ପାଇଁ ଟଙ୍କା ପାଇବାର ଲୋଭ ଦେଖାଇ ଏହି ଯୁବକଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଆଣି ବ୍ୟବହାର କରୁଥିଲେ ।
ତେବେ ଏହି ଗ୍ୟାଙ୍ଗର ଚେର ବହୁ ଦୂର ଲମ୍ବିଛି ବୋଲି ଜଣାପଡିଛି । ଦୁଇ ବର୍ଷରୁ ଅଧିକ ସମୟ ହେବ ଦେଶର ପ୍ରାୟ ୧୦ଟି ରାଜ୍ୟର ଲୋକଙ୍କୁ ସୋସିଆଲ୍ ମିଡିଆ ଜାଲରେ ଫସାଇ ବିଭିନ୍ନ ଉପାୟରେ ଚୂନ ଲଗାଉଥିଲେ । ଏହି ଗ୍ୟାଙ୍ଗ୍ ୧୦୦ କୋଟିରୁ ଅଧିକ ଟଙ୍କା ଠକିଛନ୍ତି । କେବଳ କେଶର ବିକ୍ରି ନୁହେଁ, ଋଣ କରାଇଦେବା, ଏୟାର୍ପୋର୍ଟ କଷ୍ଟମ୍ସ୍ ପାଖରେ ବିଦେଶୀ ମୁଦ୍ରା ଫସିବା ଓ ବଡ଼ ଲଟେରି ଉଠାଣର ଲୋଭ ଦେଖାଇ ଲୋକଙ୍କୁ ଠକୁଥିଲେ ଗ୍ୟାଙ୍ଗ୍ । ଏହି ଦୁଇ ନାଇଜେରୀୟ ଯୁବକଙ୍କ ସହିତ ଗ୍ୟାଙ୍ଗ୍ର ଅନ୍ୟ ସଦସ୍ୟମାନେ ମଧ୍ୟ ଅଛନ୍ତି ଯେଉଁମାନେ ଧରାପଡ଼ିନାହାନ୍ତି । ସେମାନଙ୍କୁ ଧରିବା ଓ ଠକେଇ ହୋଇଥିବା ଟଙ୍କା ଜବତ କରିବା ଦିଗରେ ଜେରା କରାଯିବା ଜରୁରି ବୋଲି ତଦନ୍ତକାରୀ ଟିମ୍ ସୂଚନା ଦେଇଛନ୍ତି ।
Powered by Froala Editor