ରାତିକରେ ୧୫ ଘରୁ ଚୋରି : ନେଇଗଲେ ୪୦ ଲକ୍ଷର ଅଳଙ୍କାର, ଜିନ୍ସ ପ୍ୟାଣ୍ଟ ବି ଛାଡ଼ିଲେନି
ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଥାନା ଅଞ୍ଚଳର ୧୫ ଜଣଙ୍କ ଘରୁ କଳାକନା ବୁଲାଇ ଦେଇଛନ୍ତି ଚୋର । ସେ ପୁଣି ଗୋଟିଏ ରାତିରେ । ପୁଲିସ ସୂଚନା ଅନୁସାରେ ପ୍ରାୟ ୪୦ ଲକ୍ଷର ସୁନାଗହଣା ସହ ନଗଦ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚୋରି ହୋଇଛି । ଦୁର୍ବୃତ୍ତମାନେ ଜିନ୍ସ ପ୍ୟାଣ୍ଟ ମଧ୍ୟ ଛାଡ଼ି ନାହାନ୍ତି । ଚୋରଙ୍କ ମଧ୍ୟରୁ କେହିଜଣେ ଦାମୀ ଜିନ୍ସ ପ୍ୟାଣ୍ଟ ପିନ୍ଧି ପଳାଇଥିବାବେଳେ ନିଜର ପୁରୁଣା ଜିନ୍ସ ପ୍ୟାଣ୍ଟ ଛାଡ଼ି ଦେଇଛି । ଏହାକୁ ଜବତ କରି ପୁଲିସ୍ ଅଭିଯୁକ୍ତଙ୍କ ନିକଟରେ ପହଞ୍ôଚବାକୁ ଉଦ୍ୟମ ଚଳାଇଛି । ତେବେ ଏକାସାଙ୍ଗରେ ୧୫ ଘରୁ ଲୁଟ୍ ଘଟଣା ପୁଲିସକୁ ଚ୍ୟାଲେଞ୍ଜ କରିଛି ।
କୋଇଡ଼ା ଥାନା ଅନ୍ତର୍ଗତ ସାନଇନ୍ଦୁପୁର ରୁଙ୍ଗ୍ଟା କଲୋନିରେ ରହୁଥିବା କର୍ମଚାରୀଙ୍କ ମଧ୍ୟରୁ କେତେଜଣଙ୍କ ଶୁକ୍ରବାର ନାଇଟ୍ ସିଫ୍ଟ ଥିଲା । ସେମାନେ ରୁଙ୍ଗଟା ମାଇନ୍ସକୁ ଯାଇଥିଲେ । ଅନ୍ୟ କେତେଜଣ କର୍ମଚାରୀ ଛୁଟିରେ ଗାଁକୁ ଯାଇଥିଲେ । ଏହାର ସୁଯୋଗରେ ଚୋର ଦଳ କଲୋନି ପଛ ପାଶ୍ୱର୍ ପାଚେରିର କଣ୍ଟା ତାର କାଟି ପଶିଥିଲେ । ପ୍ରାୟ ୧୫ ଘରର କବାଟକୁ କଟର ସାହାଯ୍ୟରେ କାଟି ସୁନା ଗହଣା, ନଗଦ ଟଙ୍କା ଏବଂ ବିଭିନ୍ନ ଆସବାବପତ୍ର ନେଇଯାଇଥିଲେ । ଶନିବାର ସକାଳେ ଏ ଘଟଣା ହଇଚଇ ସୃଷ୍ଟି କରିଥିଲା । କୋଇଡ଼ା ଥାନା ପୁଲିସ ତୁରନ୍ତ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି ।
Powered by Froala Editor