ଦୁଇଗୁଣା ବସ୍ ଭଡା ଆଦାୟ କଲେ ମୋ ବସ୍ କର୍ମଚାରୀ, ସର୍ତ୍ତରେ ଛାଡ଼ିଲେ ପୁଲିସ
କୋଣାର୍କ : ସାଧାରଣ ଲୋକ, ବରିଷ୍ଠ ନାଗରିକ ଦିବ୍ୟାଙ୍ଗଙ୍କୁ ସୁବିଧାରେ ବସ୍ ସେବା ଯୋଗାଇବା ଲାଗି ରାଜ୍ୟ ସରକାର ମୋ ବସ୍ ସେବା କାର୍ଯ୍ୟକାରୀ କରିଛନ୍ତି। କିଛି ମୋ ବସ୍ କର୍ମଚାରୀ ରଥଯାତ୍ରା ସମୟରେ କୋଣାର୍କରୁ ପୁରୀ ଯାତାୟାତ କରୁଥିବା ଯାତ୍ରୀଙ୍କଠାରୁ ଦୁଇଗୁଣା ବସ୍ ଭଡା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସୋମବାର ଦୀର୍ଘ ୨ ଘଣ୍ଟା ଧରି ମୋ ବସ୍ ସହ କର୍ମଚାରୀ କୋଣାର୍କ ଥାନାରେ ଅଟକ ଥିବାବେଳେ ପରବର୍ତ୍ତୀ ଅବସ୍ଥାରେ କେତେକ ସର୍ତ୍ତରେ ପୁଲିସ ଛାଡ଼ିଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ରଥଯାତ୍ରା ଲାଗି ପୁରୀକୁ ଯାତାୟାତ ଲାଗି ବିଭିନ୍ନ ସ୍ଥାନରୁ ସ୍ୱତନ୍ତ୍ର ବସ୍ ଚଳାଚଳ କରୁଛି। ସୋମବାର ପୁରୀରୁ କିଛି ଯାତ୍ରୀଙ୍କୁ ନେଇ ଏକ ମୋ ବସ୍ କୋଣାର୍କ ଅଭିମୁଖେ ଯାତ୍ରା କରିଥିବାବେଳେ ଯାତ୍ରୀଙ୍କ ଠାରୁ ୪୦ ଟଙ୍କା ପରିବର୍ତ୍ତେ ୮୦ ଟଙ୍କା ଆଦାୟ କରାଯାଇ ରସିଦ ପ୍ରଦାନ କରାଯାଇଥିଲା। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ମଧ୍ୟ ରିଆତି ମିଳିନଥିବା ଅଭିଯୋଗ ହୋଇଥିଲା। ଏନେଇ କିଛି ଯାତ୍ରୀ ଅଭିଯୋଗ କରିଥିଲେ ମଧ୍ୟ ଦାୟିତ୍ୱରେ ଥିବା କଣ୍ଡକ୍ଟର ରଥଯାତ୍ରା ଲାଗି ଏହି ବର୍ଦ୍ଧିତ ଭଡ଼ା ଲାଗୁ କରାଯାଇଥିବା କହିଥିଲେ। ଫଳରେ ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ କିଛି ଯାତ୍ରୀ ରାମଚଣ୍ଡୀ ନିକଟରେ ଗାଡ଼ିକୁ ଅଟକାଇ ହୋହଲ୍ଲା କରୁଥିବା ଦେଖି ଘଟଣାସ୍ଥଳରେ ଟୁରିଷ୍ଟ ପୁଲିସ ପହଞ୍ଚି ଯାତ୍ରୀଙ୍କୁ ବୁଝାସୁଝା କରିବା ସହ ଗାଡ଼ି ସହ ଯାତ୍ରୀଙ୍କୁ ନେଇ କୋଣାର୍କ ଥାନାକୁ ନେଇଥିଲା। ସମସ୍ତ ଯାତ୍ରୀଙ୍କଠାରୁ ବର୍ଦ୍ଧିତ ବସ୍ ଭଡ଼ା ନିଆଯାଇଥିବା ଥାନାରେ ଅଭିଯୋଗ ପରେ ପୁଲିସ ଏଏସ୍ଆଇ ବନମାଳୀ ନାୟକ ପଚାରିବାରୁ ରଥଯାତ୍ରା ଲାଗି ସ୍ୱତନ୍ତ୍ର ବସ୍ ଚାଲୁଥିବା ଯୋଗୁଁ ଅଧିକ ବସ୍ଭଡା ଆଦାୟ କରାଯାଇଥିବା ସୂଚନା ଦେଇଥିଲେ। ପୁଲିସ ବସ ଦାୟିତ୍ୱରେ ଥିବା ପରିଚାଳକଙ୍କ ସହ ଟେଲିଫୋନ ଯୋଗାଯୋଗ କରି ବର୍ଦ୍ଧିତ ଭଡ଼ା ଆଦାୟ ସମ୍ପର୍କିତ ଚିଠି କିମ୍ବା ନିର୍ଦେଶ ଦେଖାଇବାକୁ କହିଥିବାବେଳେ ସେ କୌଣସି ତଥ୍ୟ ଦେଇପାରିନଥିଲେ। ଏହା ପରେ ପୁଲିସ କେତେକ ସର୍ତ୍ତ ରଖି ବସ୍କୁ ଛାଡ଼ିଥିବା ଜଣାପଡ଼ିଛି।
Powered by Froala Editor