ଚକୋଲେଟ୍ ଦେବାକୁ କହି ୮ ବର୍ଷର ଝିଅକୁ କରିଥିଲା ବଳାତ୍କାର, ଜଜ୍ ଶୁଣାଇଲେ ୨୦ ବର୍ଷ ସଜା

ଚକୋଲେଟ ଲୋଭ ଦେଖାଇ ୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରିଥିଲା ଯୁବକ । ଏବେ ୨୦ ବର୍ଷର ସଜା ଶୁଣାଇଛନ୍ତି ଜଜ । ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ ସହ ୫ ହଜାର ଟଙ୍କାର ଜରିମାନା ହୋଇଛି । ଅଭିଯୁକ୍ତ ହେଲେ ବାଲେଶ୍ୱର ଜିଲ୍ଲା କଷାଫଳ ମେରାଇନ୍ ଥାନା ଅନ୍ତର୍ଗତ ବଗଦା(ସିଂଗାପୁର) ଗ୍ରାମର ଏସ୍କେ ମନତାଜ (୩୩) । ୧୬ ସାକ୍ଷୀଙ୍କ ବୟାନକୁ ଆଧାର କରି ବାଲେଶ୍ୱର ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ବିଚାରପତି ରଞ୍ଜନ କୁମାର ସୂତାର ଏହି ରାୟ ଶୁଣାଇଛନ୍ତି । ଜରିମାନା ଅନାଦେୟ ହେଲେ ଅଭିଯୁକ୍ତ ଅଧିକ ୨ ବର୍ଷ ଜେଲ୍ ଦଣ୍ଡ ଭୋଗିବ । ଏହା ସହ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା ସହାୟତା ଦେବା ପାଇଁ ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ।
ଘଟଣା ୨୦୨୩ ସେପ୍ଟେମ୍ବର ୨୮ ତାରିଖର । ଅପରାହ୍ନ ପ୍ରାୟ ୧ଟାରେ ୮ ବର୍ଷର ଝିଅଟି ନିଜ ଘର ସମ୍ମୁଖରେ ଖେଳୁଥିଲା । ସେହି ସମୟରେ ମନ୍ତାଜ ତାକୁ ଚକୋଲେଟ ଲୋଭ ଦେଖାଇ ନିକଟସ୍ଥ ଝାଉଁ ଜଙ୍ଗଲକୁ ନେଇଥିଲା । ସେଠାରେ ନିରିହ ଝିଅଟିକୁ ଝୁଣି ପକାଇଥିଲା ଅଭିଯୁକ୍ତ ।
ଏପଟେ ଖାଇବା ସମୟ ହେବାରୁ ପରିବାର ଲୋକେ ଝିଅକୁ ଖୋଜିଥିଲେ । ତାଙ୍କୁ ନ ପାଇବାରୁ ପଡ଼ୋଶୀଙ୍କ ସହ ବିଭିନ୍ନ ସ୍ଥାନରେ ଖୋଜିଥିଲେ । ଏହି ସମୟରେ ଝାଉଁ ଜଙ୍ଗଲରୁ ଶୁଣିବାକୁ ପାଇଥିଲେ ଚିତ୍କାର । ଘଟଣା ସ୍ଥଳରେ ପହଞ୍ଚିବା ପରେ ପୀଡ଼ିତାଙ୍କୁ ଅଭିଯୁକ୍ତ ବଳାତ୍କାର କରୁଥିବା ଦେଖିବାକୁ ପାଇଥିଲେ । ଏନେଇ ପୀଡ଼ିତାଙ୍କ ମାଆ କଷାଫଳ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । ପରେ ଏହି ମାମଲା ପୋକ୍ସୋ ଅଦାଲତରେ ବିଚାରାଧୀନ ଥିଲା । ସୋମବାର ଏହି ମାମଲାର ଶୁଣାଣି ହୋଇଛି । ପୋକ୍ସୋ ଆକ୍ଟ ଅନୁଯାୟୀ ଅଭିଯୁକ୍ତକୁ ୨୦ ବର୍ଷର ଜେଲ୍ ଦଣ୍ଡ ହୋଇଛି ।
Powered by Froala Editor