ରଥଯାତ୍ରାରେ ଗୋଷ୍ଠୀ ସଂଘର୍ଷ, ମହିଳାଙ୍କୁ ଲେଜର ଲାଇଟ୍ ପକାଇବାରୁ ମାରପିଟ୍
ରଥଯାତ୍ରା ପାଇଁ ଓଡ଼ିଶା ସାରା ଉତ୍ସାହର ମାହୋଲ । କିନ୍ତୁ ନୂଆପଡ଼ା ରଥଯାତ୍ରାରେ ଜଣେ ମହିଳାଙ୍କୁ କମେଣ୍ଟ ମାରିବା ଘଟଣାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି । ଉତ୍ତ୍ୟକ୍ତ ଲୋକେ ୩ଟି ବାଇକ ଜାଳି ଦେଇଥିବାବେଳେ ଅଭିଯୁକ୍ତର ଗିରଫ ଦାବିରେ ନୂଆପଡ଼ା ଥାନା ଘେରାଉ କରିଛନ୍ତି ।
ସୂଚନାନୁସାରେ, ରବିବାର ସନ୍ଧ୍ୟାରେ ନୂଆପଡ଼ାରେ ରଥଯାତ୍ରା ବେଳେ ଘାସିରାମ ଛକଠାରେ କେତେକ ଯୁବକ ତେଲିପଡ଼ାର ମହିଳାଙ୍କ ଉପରେ ଲେଜର ଲାଇଟ ପକାଇବା ସହ କମେଣ୍ଟ ମାରିଥିଲେ । ଏହାଦେଖି ମହିଳାଙ୍କ ସମ୍ପର୍କୀୟମାନେ ପ୍ରତିବାଦ କରିବାରୁ ଯୁବକମାନେ ସେମାନଙ୍କୁ ମାରପିଟ କରିଥିଲେ । ଏହାକୁ ନେଇ ମାଡ଼ ଖାଇଥିବା ସମ୍ପର୍କୀୟମାନେ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ହେଁ ପୁଲିସ ଏତଲା ରଖିନଥିଲା । ଯାହାକୁ ନେଇ ବିବାଦ ଦେଖାଦେଇଥିଲା ।
ରବିବାର ରାତି ୧୦ଟାରେ ତେଲିପଡ଼ା ଶିବମନ୍ଦିର ପାଖରେ ପୁଣି ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଉତ୍ତକ୍ତ୍ୟ ଲୋକେ ଘଟଣାସ୍ଥଳରେ ୩ଟି ବାଇକକୁ ଜାଳି ଦେଇଥିଲେ । ପୁଣି ସୋମବାର ସକାଳେ ଶତାଧିକ ମହିଳା ଓ ପୁରୁଷ ନୂଆପଡ଼ା ଥାନା ଘେରାଉ କରିଥିଲେ । ପ୍ରଥମରୁ ଅଭିଯୋଗକାରୀଙ୍କ ଅଭିଯୋଗକୁ ପୁଲିସ ଗୁରୁତ୍ୱ ଦେଇଥିଲେ ଗୋଷ୍ଠୀ ସଂଘର୍ଷ ହୋଇନଥାନ୍ତା । ଏଥିପାଇଁ ପୁଲିସ ସମ୍ପୂର୍ଣ୍ଣ ଦାୟୀ ବୋଲି ଅଭିଯୋଗ କରିଥିଲେ । ବର୍ତ୍ତମାନ ମଧ୍ୟ କମେଣ୍ଟମରାକୁ ନେଇ ଉତ୍ତେଜନା ଲାଗିରହିଛି । ଆନ୍ଦୋଳନକାରୀଙ୍କ ଭୟରେ ନୂଆପଡ଼ା ଥାନାର ମୁଖ୍ୟଗେଟ ବନ୍ଦ ରହିଛି ।
Powered by Froala Editor