ଆଜି ହେବନି, ୧୫ରେ ହେବ ପିଜି ପ୍ରବେଶିକା ପରୀକ୍ଷା
ଭୁବନେଶ୍ୱର:୨୦୨୪-୨୫ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି-୨୦୨୪) ଗତ ୩ ତାରିଖରୁ ଆରମ୍ଭ ହୋଇଛି। ତେବେ ୮ ତାରିଖ ସୋମବାର ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ରଥଯାତ୍ରା ପାଇଁ ସରକାର ଛୁଟି ଘୋଷଣା କରିଥିବାରୁ ୮ ତାରିଖରେ ହେବାକୁ ଥିବା ପରୀକ୍ଷା ଆସନ୍ତା ୧୫ ତାରିଖ ଦିନ ଅନୁଷ୍ଠିତ ହେବ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ପିଜି ନାମଲେଖା ପାଇଁ ମୋଟ ୧୧୨ଟି ଶିକ୍ଷାନୁଷ୍ଠାନ ଥିବା ବେଳେ ୨୮,୯୦୬ଟି ସିଟ୍ ରହିଛି। ତେବେ ୨୦୨୪-୨୫ରେ ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ୬୩,୧୮୪ଜଣ ଆବେଦନ କରିଛନ୍ତି। ଏହି ପରୀକ୍ଷାକୁ ରାଜ୍ୟ ପ୍ରବରଣ ମଣ୍ଡଳୀ(ଏସ୍ଏସ୍ବି) ସଞ୍ଚାଳନ କରୁଛି। ଚଳିତବର୍ଷ ଓଡ଼ିଆ ବିଶ୍ୱବିଦ୍ୟାଳୟର ଏମ୍ଏ ପାଠ୍ୟକ୍ରମ ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଆଚାର୍ୟ୍ୟ (ପିଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ମଧ୍ୟ ସିପିଇଟି ପରୀକ୍ଷା କରାଯାଉଛି। ଏହା ୧୪ ତାରିଖ ପର୍ୟ୍ୟନ୍ତ ଚାଲିବାର ଥିଲା। ଏବେ ୧୫ ତାରିଖ ବି ପରୀକ୍ଷା ହେବ। ଦିନକୁ ୩ଟି ଶିଫ୍ଟରେ ପରୀକ୍ଷା ହେଉଛି। ପ୍ରତ୍ୟେକ ଶିଫ୍ଟରେ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କୁ ଅତିରିକ୍ତ ୨୦ ମିନିଟ୍ ଦିଆଯିବାର ବ୍ୟବସ୍ଥା ହୋଇଛି।
Powered by Froala Editor