ରତ୍ନଗିରି ରାସ୍ତାରେ କୁମ୍ଭୀର
କିଛି ଦିନ ହେବ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଏହି କାରଣରୁ ଜିଲ୍ଲାର ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି। ପ୍ରବଳ ବର୍ଷା ଜାରି ରହିଥିବା ବେଳେ ମହାରାଷ୍ଟ୍ରର ଉପକୂଳ ରତ୍ନଗିରି ଜିଲ୍ଲାର ଏକ ରାସ୍ତା ଉପରେ କୁମ୍ଭୀର ଚାଲୁଥିବାର ଦେଖିବାକୁ ମିଳିଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପ୍ରବଳ ବର୍ଷା ପରେ କୁମ୍ଭୀରଟି ରାସ୍ତା ଉପରକୁ ଚାଲି ଆସିଥିବା କୁହାଯାଉଛି। କାରରେ ଯାଉଥିବା ଜଣେ ଯାତ୍ରୀ ଏହି ସମୟର ଦୃଶ୍ୟକୁ କ୍ୟାମେରାରେ କଏଦ କରିଛନ୍ତି। କୁମ୍ଭୀରଟି ନିକଟରେ ଥିବା ଶିବ ନଦୀରୁ ଚାଲି ଆସିଥିବା ସନ୍ଦେହ କରାଯାଉଛି।
ଭାରତରେ ଥିବା ତିନୋଟି କୁମ୍ଭୀର ପ୍ରଜାତି ଲୁଣିପାଣି, ଘାଡିଆଳ ଏବଂ ମଗର କୁମ୍ଭୀର ମଧ୍ୟରୁ ରତ୍ନଗିରି ମଗର କୁମ୍ଭୀର ପାଇଁ ବେଶ୍ ଜଣାଶୁଣା। ଏହି ଅଞ୍ଚଳରେ ଅଧିକ ମଗର କୁମ୍ଭୀର ପ୍ରଜାତି ଦେଖାଯାଏ। କୁମ୍ଭୀରକୁ ଏପରି ରାଜରାସ୍ତାରେ ଦେଖି ଲୋକେ ଭୟଭୀତ ହୋଇ ରାସ୍ତାରେ ଯାତାୟାତ ନକରି ଅଟକି ରହିଛନ୍ତି। ତେବେ ଏତେ ସମୟ ଧରି କୁମ୍ଭୀର ରାସ୍ତାରେ ବୁଲୁଥିବା ଘଟଣା ସମ୍ପର୍କରେ ବନବିଭାଗ କେମିତି ଜାଣି ପାରିଲେ ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Powered by Froala Editor