ମେଣ୍ଟ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ: ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ଚର୍ଚ୍ଚା ଜୋର ଧରିଛି । ତେବେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ବିଜେପି ଏକା ଲଢିବା ନେଇ ସମ୍ଭାବନା ରହିଛି ।
ସେ କହିଛନ୍ତି ଯେ ମେଣ୍ଟ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ରାଜ୍ୟ ବିଜେପି ସଭାପତି କେନ୍ଦ୍ରୀୟ ନେତୃତ୍ୱ ଆଗରେ ସ୍ପଷ୍ଟ ମତାମତ ରଖିଛନ୍ତି । ଆମେ ଏକାକୀ ଲଢିଲେ ଭଲ କରିବାକୁ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ସଭାପତି ଯାହା ଜଣାଇଛନ୍ତି ଭାରତୀୟ ଜନତା ପାର୍ଟି ତାହା ବିଶ୍ୱାସ କରେ । ଯାହା କେନ୍ଦ୍ରୀୟ ନିଷ୍ପତ୍ତି ଆସିବ ଆମେ ସେ ଅନୁସାରେ ଚାଲିବୁ । ତେବେ ଯେତେଦୂର ସମ୍ଭବ, ବିଜେପି ଏକା ଲଢିବାର ବହୁ ସମ୍ଭାବନା ଅଛି ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ପ୍ରକାଶ ଯେ ଗତକାଲି ଦିଲ୍ଲୀ ଯାଇଛନ୍ତି ବିଜେଡିର ଦୁଇ ପ୍ରମୁଖ ନେତା ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଓ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଏମାନେ ଆଜି ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟି ପାରନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ମେଣ୍ଟ ନେଇ ଆସିପାରେ ବଡ଼ ଖବର । ମେଣ୍ଟ ନେଇ ଚିତ୍ର ସ୍ପଷ୍ଟ ହୋଇପାରେ । ଏନେଇ ଦିଲ୍ଲୀରେ ଚାଲିଛି କସରତ ।
ବିଜେଡି ଲୋକସଭା ଓ ବିଧାନସଭାରେ କେତେ ଆସନରେ ଲଢିବ, ସେନେଇ ଶୀର୍ଷ ନେତୃତ୍ୱଙ୍କୁ ଅବଗତ କରିବେ । ଏହା ସହ ରାଜ୍ୟ ବିଜେପିର ନେତାମାନେ ମଧ୍ୟ ଦିଲ୍ଲୀରେ ଡେରା ପକାଇଛନ୍ତି । ତେଣୁ ଆସନ ବୁଝାମଣା ନେଇ ଆଜି ସନ୍ଧ୍ୟା ସୁଦ୍ଧା ଚିତ୍ର ସ୍ପଷ୍ଟ ହେବ ବୋଲି କୁହାଯାଉଛି । ସୂଚନା ଅନୁସାରେ ଲୋକସଭାରେ ବିଜେଡି ୭ଟି ଆସନରେ ଲଢି ୧୪ଟି ଲୋକସଭା ଆସନ ବିଜେପିକୁ ଛାଡିପାରେ । ସେହିପରି ବିଧାନସଭାରେ ବିଜେଡି ଅତିକମରେ ୧୦୨ ଆସନ ନିଜ ପାଖରେ ରଖିପାରେ । ଆଉ ୪୫ଟି ଆସନ ବିଜେପିକୁ ଦେଇପାରେ ।
Powered by Froala Editor