ଟିକେଟ କଟିବା ପରେ ରାଜନୀତିରୁ ହଟିଲେ ହର୍ଷବର୍ଦ୍ଧନ, କହିଲେ ‘କ୍ଲିନିକ୍କୁ ଫେରିଯିବି,
ଗୌତମ ଗମ୍ଭୀର ଓ ଜୟନ୍ତ ସିହ୍ନାଙ୍କ ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ଡଃ. ହର୍ଷବର୍ଦ୍ଧନ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆରେ ଏନେଇ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ଏମିତି ସମୟରେ ଏପରି ନିଷ୍ପତ୍ତି ନେଇଛନ୍ତି ଯାହାର ଗୋଟିଏ ଦିନ ପୂର୍ବରୁ ବିଜେପି ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଥିଲା। ଯେଉଁଥିରେ ତାଙ୍କର ନାଁ ନ ଥିଲା।
ବିଜେପି ଏଥର ଲୋକସଭା ନିର୍ବାଚନରେ ତାଙ୍କ ଟିକେଟ୍ କାଟିବା ପରେ ସେ ଏଭଳି ବଡ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ରାଜନୈତିକ କର୍ତ୍ତବ୍ୟରୁ ମୁକ୍ତ କରିବା ପାଇଁ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପ୍ପି ନଡ୍ଡାଙ୍କୁ ନିବେଦନ କରିଛନ୍ତି।
ସେ ତାଙ୍କ ସୋଶାଲ ମିଡିଆର'X' ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି, 'ଦୀର୍ଘ ୩୦ ବର୍ଷର ନିର୍ବାଚନୀ କ୍ୟାରିୟର ମଧ୍ୟରେ ୫ଥର ବିଧାନସଭା ଓ ୨ ଥର ଲୋକସଭା ନିର୍ବାଚନ ଲଢିବାର ସୁଯୋଗ ପାଇଛି। ସମସ୍ତ ନିର୍ବାଚନରେ ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଛି। ଏହା ସହ ପାର୍ଟି ସଂଗଠନ ଓ କେନ୍ଦ୍ର ସରକାରରେ ବଡ ବଡ ପଦବୀରେ ରହି ଦାୟୀତ୍ୱ ନିର୍ବାହ କରିଛନ୍ତି। ଏଣୁ ଏବେ ରାଜନୀତି ନୁହେଁ ବରଂ ନିଜର ବ୍ୟକ୍ତିଗତ ପେଶାକୁ ଫେରିଯିବାକୁ ଚାହୁଁଛି।
ପୋଲିଓମୁକ୍ତ ଭାରତ ଏବଂ ପରେ କୋଭିଡ ସମୟରେ ଦେଶବାସୀଙ୍କ ସେବା କରି ନିଜକୁ ଧନ୍ୟ ମଣୁଛି। କୃଷ୍ଣାନଗରରେ ଥିବା ମୋ କ୍ଲିନିକ୍ ମୋତେ ଅପେକ୍ଷା କରିଛି। ମୋତେ ଲୋକଙ୍କର ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ କୃତଜ୍ଞତା ଜଣାଉଛି। ଜୟ ହିନ୍ଦ।'
Powered by Froala Editor