ସ୍ୱାତୀଙ୍କ ଭଜନରେ ମୁଗ୍ଧ ହେଲେ ମୋଦୀ

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଏହି ଭବ୍ୟ କାର୍ଯ୍ୟକ୍ରମକୁ ନେଇ ଦେଶର କୋଣ ଅନୁକୋଣରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖାଦେଇଛି । ରାମଲଲାଙ୍କ ଉଦ୍ଦେଶ୍ୟରେ କିଏ ବିଶାଳ ଧୂପକାଠି ପ୍ରସ୍ତୁତ କରୁଛି ତ ଆଉ କିଏ ସୁନାର କଲମ, ରାମଙ୍କ ମନ୍ଦିର, ସୁନାର ଧନୁ ତୀର ଆଦି ତିଆରି କରୁଛନ୍ତି। ଏହି କ୍ରମରେ ଦେଖିବାକୁ ଗଲେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପୂର୍ବରୁ ସୋସିଆଲ ମିଡିଆରେ ‘ରାମ ଆଏଙ୍ଗେ’…. ଗୀତ ଭାଇରାଲ ହେବାରେ ଲାଗିଛି।
ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ସକାଳେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭଜନ ସେୟାର କରିଛନ୍ତି ଓ ଲେଖିଛନ୍ତି 'ରାମଲଲାଙ୍କ ସ୍ୱାଗତରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେବ ଏହି ଭଜନ' । ଭଜନର ମୁଖଡା ରହିଛି 'ରାମ ଆଏଙ୍ଗେ….' । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଭଜନର ୟୁଟ୍ୟୁବ୍ ଲିଙ୍କ ସେୟାର କରିଛନ୍ତି ଓ ଲେଖିଛନ୍ତି ଶ୍ରୀରାମଲଲାଙ୍କ ସ୍ୱାଗତରେ ସ୍ୱାତୀ ମିଶ୍ରାଜୀଙ୍କ ଏହି ଭକ୍ତି ସଙ୍ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେବ ।
ଭଜନରେ କଣ୍ଠଦାନ କରିଥିବା ସ୍ୱାତୀ ମିଶ୍ରାଙ୍କ ଘର ବିହାରର ଛାପରା ଜିଲ୍ଲାରେ କିନ୍ତୁ ସେ ମୁମ୍ବାଇରେ ରୁହନ୍ତି । ଏହା ପୂର୍ବରୁ ସେ ଛଟ ମାତାଙ୍କ ଉପରେ ଗାଇଥିବା ଭଜନ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ ହୋଇଥିଲା ।
Powered by Froala Editor