ଖେଳ ରତ୍ନ ଓ ଅର୍ଜୁନ ପୁରସ୍କାର ଫେରାଇବାକୁ କହିଲେ ଭିନେଶ
ପୂର୍ବତନ ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫ୍ଆଇ) ର ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାମାନେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ପୂର୍ବରୁ କିଛି କୁସ୍ତିଯୋଦ୍ଧାମାନେ ତାଙ୍କ ପୁରସ୍କାର ଫେରାଇବା ପରେ ଏବେ ବିନେଶ ଫୋଗାଟ ପୁରସ୍କାର ଫେରସ୍ତ କରିବାକୁ ଘୋଷଣା କରିଛନ୍ତି। ଭିନେଶ ଖେଳ ରତ୍ନ ଓ ଅର୍ଜୁନ ପୁରସ୍କାର ଫେରାଇ ଦେବାକୁ ଘୋଷଣା କରିଛନ୍ତି।
ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ତାଙ୍କୁ ମିଳିଥିବା ଜାତୀୟ ପୁରସ୍କାର ଫେରସ୍ତ କରିବାକୁ ଚାହୁଁଛନ୍ତି ବୋଲି ଦର୍ଶାଇଛନ୍ତି। ଏହି ଚିଠିକୁ ସେ ସୋଶାଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି।
ରାଜ୍ୟଗୋଷ୍ଠୀ ଓ ଏସିଆନ ଗେମ୍ସରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଭିନେଶ ଫୋଗାଟ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଏହି ପୁରସ୍କାର ଗୁଡ଼ିକ ବର୍ତ୍ତମାନ ତାଙ୍କ ପାଇଁ ବୋଝ ହୋଇଯାଇଛି। ସମ୍ମାନର ସହିତ ବଞ୍ଚିବାରେ ଏଗୁଡ଼ିକ ବାଧକ ସାଜିଛନ୍ତି। ଏହି ପୁରସ୍କାର ଗୁଡ଼ିକୁ ଦେଖିଲେ ଘୃଣା ଲାଗୁଛି। ଏହା ସହିତ କେବଳ ସରକାରଙ୍କ ବିଜ୍ଞାପନଗୁଡ଼ିକୁ ସରସ ସୁନ୍ଦର କରିବା ପାଇଁ ମହିଳା କୁସ୍ତିଯୋଦ୍ଧା ତିଆରି କରାଯାଉଛି କି ବୋଲି ସେ ପ୍ରଶ୍ନ କରିଛନ୍ତି।
ସେ ଆହରି ଲେଖିଛନ୍ତି, ମୁଁ ମୋର ‘ମେଜର ଧ୍ୟାନଚନ୍ଦ ଖେଳ ରତ୍ନ’ ଏବଂ ଅର୍ଜୁନ ପୁରସ୍କାର ଫେରସ୍ତ କରୁଛି। ମୋତେ ଏହି ପରିସ୍ଥିତିକୁ ଆଣିଥିବାରୁ ଶକ୍ତିଶାଳିମାନଙ୍କୁ ଅନେକ ଅନେକ ଧନ୍ୟବାଦ। ସେ ଏହି ଚିଠିକୁ ସୋସିଆଲ ମିଡିଆ ଏକ୍ସରେ ସେୟାର କରିଥିବା ଦେଖାଯାଇଛି।
ବିନେଶ ଫୋଗାଟଙ୍କ ନିଷ୍ପତ୍ତିକୁ ନେଇ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ କହିଛନ୍ତି, ମୋ ପାଖରେ ଆଉ କିଛି କହିବାକୁ ବାକି ନାହିଁ। କୌଣସି ଖେଳାଳିଙ୍କୁ ଏହି ଦିନ ଦେଖିବାକୁ ନପଡ଼ୁ। କିଛି ଦିନ ତଳେ ବଜରଙ୍ଗ ପୁନିଆ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ଘୋଷଣା କରିଥିଲେ। ଏହାପୂର୍ବରୁ ସାକ୍ଷୀ ମଲିକ କୁସ୍ତି ଛାଡିବାକୁ ଘୋଷଣା କରିଥିଲେ।
Powered by Froala Editor