ସୁନ୍ଦରଗଡ଼ରେ ପୁଣି ୧୪ ସ୍କ୍ରବ୍ ଟାଇଫସ ପଜିଟିଭ ଚିହ୍ନଟ, ୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ସୁନ୍ଦରଗଡ଼ : ଗୋଟିଏ ଦିନରେ ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ୯୯ ନମୂନ ରୁ ୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୦ରେ ପହଞ୍ଚିଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧରଣୀରଞ୍ଜନ ଶତପଥୀ କହିଛନ୍ତି, ଯଥେଷ୍ଟ ଔଷଧ ମହଜୁଦ ରହିଛି। ଠିକ୍ ସେହି ଚିକିତ୍ସା ଲାଗି ସ୍ଵତନ୍ତ୍ର ଡାକ୍ତରୀ ଦଳ ବି ପ୍ରସ୍ତୁତ ରହିଛନ୍ତି। ଏହି ରୋଗ ଲାଗି ଗାଁ ଗାଁରେ ଲୋକଙ୍କୁ ସଚେତନ କରାଯାଉଛି। ସେପଟେ ସ୍ବାସ୍ଥ୍ୟ ବିଭାଗର ସଚେତନତା ଲୋକଙ୍କ ପାଖରେ ପହଞ୍ଚି ପାରୁନଥିବା ଅଭିଯୋଗ ରହିଛି।
ଗତ ଜାନୁ୍ଆରି ମାସରୁ ଆଜିର ତାରିଖ ଯାଏ ୪୩୦ ଜଣ ସ୍କ୍ରବ ଟାଇଫସ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ବଡ଼ଗାଁ ଅଞ୍ଚଳର ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଜିଲ୍ଲାର ସଦର ବ୍ଲକ୍ ମଝାପଡ଼ା ଓ ବାଲିଶଙ୍କରା ବ୍ଲକରୁ ଅଧିକ ରୋଗୀ ଚିହ୍ନଟ ହୋଇଥିଲେ। ଏହି ରୋଗ କୀଟ ଦଂଶନରୁ ହେଉଥିବାରୁ ଜଙ୍ଗଲ ତଥା ବିଲବାଡ଼ିକୁ ଯିବା ସମୟରେ ସମ୍ପୂର୍ଣ୍ଣ ଶରୀରକୁ ଘୋଡ଼ାଇ ରଖିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ଔଷଧ, ପରୀକ୍ଷା ବ୍ୟବସ୍ଥା ରହିଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧରଣୀରଞ୍ଜନ ଶତପଥୀ।
Powered by Froala Editor