ସ୍ନାୟୁକୁ ଶାନ୍ତ କରେ ସଂଗୀତ

ଗୀତ ହେଉଛି ଦେହ ଓ ମନ ପାଇଁ ସବୁଠୁ ଆରାମଦାୟକ ଉପାଦାନ। ପୃଥିବୀରେ ଏପରି କିଛି ସଂଗୀତ ରହିଛି, ଯାହାର ଉପଶମକାରୀ ଗୁଣ ଉଦ୍ବେଗ ସ୍ତରକୁ ୬୫ ପ୍ରତିଶତ ହ୍ରାସ କରିଦେଇପାରେ। ସମ୍ଭବତଃ ଏଭଳି ସମସ୍ୟା ଦୂର କରିବା ପାଇଁ ଉଦ୍ଦିଷ୍ଟ ଔଷଧର ଏକ ସକ୍ଷମ ବିକଳ୍ପ ଭାବେ ଏହା ବିବେଚିତ। ପେନ୍ସିଲଭେନିଆ ବିଶ୍ବବିଦ୍ୟାଳୟର ଏକ ପୂର୍ବ ଅନୁଧ୍ୟାନ ଅନୁଯାୟୀ, ଅସ୍ତ୍ରୋପଚାର ପୂର୍ବରୁ ଅନେକ ଲୋକ ଚିନ୍ତାଗ୍ରସ୍ତ ହୋଇପଡ଼ନ୍ତି ଯାହା ସେମାନଙ୍କ ଶରୀରକୁ ଅଧିକ ଚାପଗ୍ରସ୍ତ କରିଦେଇଥାଏ। ଗବେଷଣାରେ ୧୫୭ ଜଣ ବୟସ୍କ ସ୍ବେଚ୍ଛାସେବୀଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ପ୍ରଥମ ଦଳଙ୍କୁ ନିଶ୍ଚେତକ ଦେବାର ତିନି ମିନିଟ୍ ପୂର୍ବରୁ ସେମାନଙ୍କୁ ଶାନ୍ତ କରିବା ଲାଗି ୧ମି.ଗ୍ରା.ରୁ ୨ ମି.ଗ୍ରା. ଯାଏ ମିଡାଜୋଲାମ୍ ନାମକ ନିଦ୍ରା ଉତ୍ପ୍ରେରକ ଦିଆଯାଇଥିଲା।
ବାହାରର ଗହଳି ଶୁଣାଯାଉନଥିବା ହେଡ୍ଫୋନ୍ ମାଧ୍ୟମରେ ‘ମାର୍କୋନି ୟୁନିଅନ୍’ ବ୍ୟାଣ୍ଡ୍ର ‘ୱେଟ୍ଲେସ୍’ ଗୀତ ଶୁଣିବାକୁ ଦିଆଯାଇଥିଲା। ତା’ପରେ ଉଭୟ ଗୋଷ୍ଠୀର ଉଦ୍ବେଗ ସ୍ତର ମପାଯାଇଥିଲା। ସଂଗୀତ ଶୁଣିଥିବା ଲୋକଙ୍କ ଠାରେ ଔଷଧ ନେଇଥିବା ଲୋକଙ୍କ ଉଦ୍ବେଗ ସହ ତୁଳନୀୟ ହ୍ରାସ ଘଟିଥିଲା। ତେଣୁ ସ୍ନାୟୁକୁ ଶାନ୍ତ କରିବାରେ ସଂଗୀତ ସମାନ ଭାବରେ ପ୍ରଭାବଶାଳୀ ବୋଲି ସ୍ପଷ୍ଟ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଏହି ଗୀତଟି ମାନସିକ ଚାପ ସ୍ତରକୁ କମାଇବାରେ ସାହାଯ୍ୟ କରିଥିଲେ ହେଁ ଔଷଧ ନେଇଥିବା ଲୋକେ ସଂଗୀତ ଶୁଣିଥିବା ରୋଗୀମାନଙ୍କ ତୁଳନାରେ ଅଧିକ ସନ୍ତୋଷ ପ୍ରକାଶ କରିଥିଲେ।
ତେବେ ଏପରି ଅସମାନତାର କାରଣ ବୋଧହୁଏ ସଂଗୀତ ଶୁଣିଥିବା ଲୋକଙ୍କୁ ସେମାନଙ୍କ ପସନ୍ଦର ସଂଗୀତ ଚୟନ କରିବା ଲାଗି ସୁଯୋଗ ଦିଆଯାଇନଥିଲା ବୋଲି ଗବେଷକମାନେ ଅନୁମାନ କରୁଛନ୍ତି। ଏହାପରେ ଗବେଷକମାନଙ୍କର ସିଦ୍ଧାନ୍ତ ହେଲା, ଆଞ୍ଚଳିକ ନିଶ୍ଚେତକ ପ୍ରୟୋଗ ପୂର୍ବରୁ ମିଡାଜୋଲାମ୍ ପ୍ରୟୋଗର ବିକଳ୍ପ ଭାବେ ସଂଗୀତ ରୂପୀ ଔଷଧ ପ୍ରଦାନ କରାଯାଇପାରିବ। ତେବେ ଏ ଦିଗରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ସେମାନେ କହିଛନ୍ତି।
Powered by Froala Editor