ଜେଲ୍ କର୍ତ୍ତୃପକ୍ଷଙ୍କ ଅବହେଳା : ମେଲ୍ ଖୋଲିଲେନି, ଜେଲ୍ରେ ଅଧିକ ୩ ବର୍ଷ ରହିଲେ ଯୁବକ

ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଜଣେ ଯୁବକ ଅତିରିକ୍ତ ୩ ବର୍ଷ କାଳ ବନ୍ଦୀ ଜୀବନ ବିତାଇଛନ୍ତି। ଗୁଜରାଟରେ ଏ ଅଜବ ଘଟଣା ଘଟିଛି । ଜଣେ ଯୁବକକୁ କୋର୍ଟ ଜାମିନ ଦେବା ସତ୍ତ୍ବେ ଜେଲ ବିଭାଗର ଅବହେଳା ଯୋଗୁଁ ତାଙ୍କୁ ଅତିରିକ୍ତ ୩ ବର୍ଷ ଜେଲରେ ରହିବାକୁ ପଡ଼ିଛି ।
୨୦୨୦ରେ ଗୁଜରାଟ ହାଇକୋର୍ଟ ସଂପୃକ୍ତ ଯୁବକକୁ ଜାମିନ ଦେବା ସହ କୋର୍ଟର ରେଜିଷ୍ଟ୍ରାର ଯୁବକ ରହୁଥିବା ଜେଲକୁ ଏକ ଇ-ମେଲ ମାଧ୍ୟମରେ ଜାମିନ ଆଦେଶ ପଠାଇଥିଲେ । କିନ୍ତୁ ଜେଲ କର୍ତ୍ତୃପକ୍ଷ ଅବହେଳା ବଶତଃ ଇମଲେର ସଂଲଗ୍ନ ଥିବା କୋର୍ଟଙ୍କ ଆଦେଶକୁ ଖୋଲିନଥିଲେ । ଏହା ଫଳରେ ଯୁବକଙ୍କୁ ଖଲାସ କରାଯାଇପାରିନଥିଲା । ଏହି ଘଟଣାକୁ ନେଇ କୋର୍ଟ ଆଶ୍ଚର୍ଯ୍ୟ ହେବା ସହ ଏହା ଆଖି ଖୋଲିଦେବା ଭଳି ଏକ ଘଟଣା ବୋଲି କହିଛନ୍ତି ।
କୋର୍ଟ କହିଛନ୍ତି ଯେ ଜେଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ସଂପୃକ୍ତ ଯୁବକ ଅତିରିକ୍ତ ୩ ବର୍ଷ ଜେଲରେ ରହିଲେ । ଏହି ସମୟରେ ସେ ନିଜର ସ୍ବାଧୀନତା ଉପଭୋଗ କରିପାରିଥାନ୍ତେ । କିନ୍ତୁ ଜେଲ କର୍ତ୍ତୃପକ୍ଷ ଏପରି କରିନଥିଲେ । କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଗୁଜରାଟ ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ଯୁବକଙ୍କୁ ତୁରନ୍ତ ୧ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ମଧ୍ୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor